#Headlines

୯୨୨ କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର (୨୭/୧୨/୧୯) ବ୍ୟୁରୋ : ରାଜ୍ୟରେ ୯୨୨ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମିଳିଛି ମଞ୍ଜୁରୀ। ଏକକ ବାତାୟନ(ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ) ଜରିଆରେ ପୁଞ୍ଜି ନିବେଶ କରିବାକୁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ୯୨୨ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ  ରାଜ୍ୟରେ ୨ ହଜାର ୬୫୦ ନିଯୁକ୍ତି ସୃଷ୍ଟି ହେବ। ଶୁକ୍ରବାର ଏନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଏକକ ବାତାୟନ କମିଟି ପ୍ରକଳ୍ପଗୁଡିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମଞ୍ଜୁରି ମିଳିଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ କେନ୍ଦୁଝରରେ ଥିବା ଇସ୍ପାତ କାରଖାନର ସମ୍ପ୍ରସାରଣ ପାଇଁ ମଧ୍ୟ ଅନୁମତି ମିଳିଛି। କାରଖାନାର ସମ୍ପ୍ରସାରଣ ପାଇଁ ୫୭୩.୪୧ କୋଟି ଟଙ୍କା ମଞ୍ଜୁରୀ ହୋଇଛି। କାରଖାନର ସମ୍ପ୍ରସାରଣ ହେଲେ ଏଠାରେ ୯୭୮ ଜଣଙ୍କୁ ନିଯୁକ୍ତି ଦିଆଯାଇପାରିବ।

ଅନ୍ୟ ପ୍ରକଳ୍ପ ମଧ୍ୟରେ ରହିଛି ଖୋର୍ଦ୍ଧାରେ ପ୍ରିଣ୍ଟେଡ୍ ସର୍କିଟ ବୋର୍ଡ କାରଖାନା ପ୍ରତିଷ୍ଠା। ଏହି ପ୍ରକଳ୍ପରେ ଖର୍ଚ ହେବ ୯୬.୮୦ କୋଟି ଟଙ୍କା ଯେଉଁଥିରେ ୪୨୫ ଜଣ ନିଯୁକ୍ତି ପାଇବେ। ସେହିପରି ଖୋର୍ଦ୍ଧାର ଡେରାସ ଠାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ୮୫.୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୫୮୦ ଜଣ ନିଯୁକ୍ତି ପାଇବେ ବୋଲି ଜଣାପଡିଛି।

ମଞ୍ଜୁର ପ୍ରକଳ୍ପ ମଧ୍ୟରେ ରହିଛି ଭୁବନେଶ୍ବରରେ ଏକ ୪ ତାରକା ହୋଟେଲ । ଏହି ୪ ତାରକା ହୋଟେଲ ପାଇଁ ଖର୍ଚ କରାଯିବ ୫୯.୦୮ କୋଟି ଟଙ୍କା ଯେଉଁଥିରେ ୧୬୭ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ୧୦୭.୧୦ କୋଟି ଟଙ୍କା ବିନିଯୋଗରେ ତିଆରି ହେବ ଖୋର୍ଦ୍ଧା ଜିଲାରେ ଆମୋଦପ୍ରମୋଦ ପାର୍କ। ଯେଉଁଥିରେ ୫୦୦ ଜଣଙ୍କୁ ନିଯୁକ୍ତି ପାଇବେ।

ସମ୍ପାଦନା – ମନୋରଞ୍ଜନ ମହାପାତ୍ର

Leave a comment

Your email address will not be published. Required fields are marked *