#Uncategorized

ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ ଅଚଳ


କନ୍ଧମାଳ,(ଉଲାପ୍ର): ଆଦିବାସୀ ଅଧ୍ୟୁଷିତ ଏବଂ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଜିଲ୍ଲାରେ ଦିନ ଦିନ ଧରି ବିଏସ୍‌ଏନ୍‌ଏଲ୍‌ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ସମେତ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା କାର୍ଯ୍ୟ କରୁନି। ଜିଲ୍ଲାର ଅଧିକାଂଶ ବ୍ଲକ‌୍‌ରେ କ୍ରମାଗତ ଭାବେ ନେଟ୍‌ୱର୍କ ରହୁ ନଥିବାରୁ ମୋବାଇଲ୍‌ ସେବା ବ୍ୟାହତ ହୋଇପଡ଼ିଛି। ଦିନତମାମ ସମଗ୍ର ଫିରିଙ୍ଗିଆ ବ୍ଲକ୍‌, ଫୁଲବାଣୀ ସଦର, ରାଇକିଆ, କ. ନୂଆଗାଁ ଓ ବାଲିଗୁଡା ବ୍ଲକ୍‌ରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ ଫେଲ୍‌ ହୋଇ ପଡ଼ିଥିବାରୁ ମୋବାଇଲ ସେବା ଠପ୍‌ ହୋଇ ଯାଇଥିଲା। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରୁ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଭଲ ରାସ୍ତା ନଥିବା ବେଳେ ବିପର୍ଯ୍ୟସ୍ତ ବିଏସ୍‌ଏନ୍‌ଏଲ୍‌ ସେବା ବୋଝ ଉପରେ ନଳିତା ବିଡ଼ା ଭଳି ପରିସ୍ଥିତି ସୃଷ୍ଟି କରିଛି। ଏହାଯୋଗୁଁ ବିଭିନ୍ନ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହୋଇଛି।
ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌ ହୋଇଯାଇ ଥିବାରୁ ବିଶେଷ କରି ସ୍ବାସ୍ଥ୍ୟ ସେବା ଉପରେ ଏହାର କୁପ୍ରଭାବ ପଡ଼ିଛି। ମୋବାଇଲରେ ନେଟ୍‌ୱର୍କ ରହୁ ନଥିବାରୁ ଦୁର୍ଗମ ଅଞ୍ଚଳବାସୀ ଆମ୍ବୁଲାନ୍‌ସକୁ ଖବର ଦେଇ ନପାରି ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି। ଦେଶର ସର୍ବବୃହତ୍‌ ଟେଲି ଯୋଗାଯୋଗ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ କନ୍ଧମାଳ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମାତ୍ର ୬୦ ପ୍ରତିଶତ ‌ମୋବାଇଲ୍‌ ସେବା ଯୋଗାଇ ଦେବାରେ ସମର୍ଥ ହୋଇଛି। କେନ୍ଦ୍ର ସରକାର ପ୍ରତି ପଞ୍ଚାୟତକୁ ଇଣ୍ଟରନେଟ୍‌ ସେବା ଯୋଗାଇ ଦେବା କଥା କହୁଥିବା ବେଳେ କନ୍ଧମାଳ ଜିଲ୍ଲାର ୧୭୧ଟି ପଞ୍ଚାୟତକୁ ଇଣ୍ଟରନେଟ୍‌ ସେବା ଦିବା ସ୍ବପ୍ନ ଭଳି ମନେ ‌ହେଉଛି।ବିଏସ୍‌ଏନ୍‌ଏଲ୍‌ ବିଭାଗର ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରେ ମାତ୍ର ୧୪୨ଟି ଟାୱାର୍‌ ରହିଛି। ସେଥିମଧ୍ୟରୁ ଜିଲ୍ଲା ପ୍ରଶାସନ ସହଯୋଗରେ ୧୬ଟି ମିନି ଟାୱାର୍‌ ନିର୍ମାଣ କରାଯାଇଛି। ଗତ ଦୁଇବର୍ଷ ହେଲା ଜିଲ୍ଲାରେ ଆଦୌ ନୂଆ ଟାୱାର୍‌ ପ୍ରତିଷ୍ଠା ହୋଇନାହିଁ। ଜିଲ୍ଲାରେ ଆଉ ୫୦ଟି ନୂଆ ବିଏସ୍‌ଏନ୍‌ଏଲ୍‌ ଟାୱାର୍‌ ସ୍ଥାପନ ହେବବୋଲି ଗତବର୍ଷ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ମାତ୍ର, ଏହା କେବଳ ଘୋଷଣାରେ ରହିଯାଇଛି। ଏନେଇ ଫୁଲବାଣୀ ବିଏସ୍‌ଏନ୍‌ଏଲ୍‌ ଟେଲିକମ୍‌ ଏସ୍‌ଡିଓ ମନୋଜ କୁମାର ପଟ୍ଟନାୟକଙ୍କ ସହ ଯୋଗାଯୋଗ କରା ଯାଇଥିଲା। ଜିଲ୍ଲାର ୧୭୧ଟି ପଞ୍ଚାୟତରୁ ୧୫୧ଟିରେ ଇଣ୍ଟରନେଟ୍‌ ସୁବିଧା ଅଛି ବୋଲି ଶ୍ରୀ ପଟ୍ଟନାୟକ କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା ସତ୍ୟ ଭଳି ମନେ ହେଉନାହିଁ। ଫୁଲବାଣୀ, ବାଲିଗୁଡ଼ା ଭଳି ସଦର ମହକୁମାକୁ ଛାଡ଼ିଦେଲେ ବାକି ଦୁର୍ଗମ ବ୍ଲକ୍‌ରେ ଅଧିକାଂଶ ସମୟ ମୋବାଇଲ୍‌ ନେଟ୍‌ୱର୍କ ରହୁନ‌ାହିଁ। ଇଣ୍ଟରନେଟ୍‌ ସେବା କଥା କଳ୍ପନା କରିବା ବୃଥ‌ା।ଅପରପକ୍ଷେ, ଜିଲ୍ଲାରେ ୨୧ଟି ନୂଆ ଟାୱାର୍‌ ନିର୍ମାଣ ପାଇଁ ଜମି ଓ ଘର ଏଗ୍ରିମେଣ୍ଟ ସରିଥିବାବେଳେ ୩ ବର୍ଷ ହେଲା ଟାୱାର୍‌ ନିର୍ମାଣ ପାଇଁ ଯନ୍ତ୍ରାଂଶ ଆସିପାରୁ ନାହିଁ। ଆସନ୍ତା ମାର୍ଚ୍ଚ ସୁଦ୍ଧା ଯନ୍ତ୍ରାଂଶ ଆସିବା ସମ୍ଭାବନା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ମୋବାଇଲ ସେବା ଠପ୍‌ ହୋଇଯିବା କାରଣରୁ ପୁଲିସ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଗ୍ରାମାଞ୍ଚଳର ଥାନାଗୁଡ଼ିକ ସହ ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଫୁଲବାଣୀ ସହରରେ ଅଧିକାଂଶ ସମୟରେ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହେଉଛି। ଏଥିଯୋଗୁଁ ଟେଲି ଯୋଗାଯୋଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆଗାମୀ ଦିନରେ ଟେଲି ଯୋଗାଯୋଗ ସେବାକୁ ସ୍ବାଭାବିକ କରା ନଗଲେ ଆନ୍ଦୋଳନ ଜୋର୍‌ଦାର୍‌ କରାଯିବ ବୋଲି ବିଶିଷ୍ଟ ଶ୍ରମିକ ନେତା ତଥା ଏଆଇସିସି ସଦସ୍ୟ ଘନ ଶବର ଚେତାବନୀ ଦେଇଛନ୍ତି।

Leave a comment

Your email address will not be published. Required fields are marked *