#Headlines

ବଦଳିବ ବ୍ରିଟିସ୍‌ ଅମଳର ଜେଲ୍‌ ମାନୁଆଲ୍‌, ଅନ୍‌ଲାଇନ୍‌ରେ ରହିବ ୮ ଲକ୍ଷ କଏଦୀଙ୍କ ଅପରାଧିକ ରେକର୍ଡ

୯୧ଟି ଜେଲ୍‌ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ, ବନ୍ଦୀଙ୍କ ଖାଦ୍ୟର ମାନ ଓ ପରିମାଣ ସିସି କ୍ୟାମେରାରେ ରେକର୍ଡ କରାଯିବ

କଟକ : ସହଜରେ କୋର୍ଟରୁ ଜାମିନ୍‌ ପାଇଯାଉଥିବା ଅପରାଧୀ ଏଣିକି ଫସିବେ। ପାଖାପାଖି ୮ ଲକ୍ଷ କଏଦୀଙ୍କ ୧୦ବର୍ଷ ଭିତରେ ଅପରାଧିକ ରେକର୍ଡ ଅନ୍‌ଲାଇନ୍‌ରେ ରହିବ। କେବେ, କେଉଁ ମାମଲାରେ ଜଣେ ଅଭିଯୁକ୍ତ ଜେଲ୍‌ ଯାଇଥିଲା, ସେ ସମ୍ପର୍କିତ ତଥ୍ୟର ଡିଜିଟାଇଜେସନ୍‌ କରାଯାଉଛି। ଫଳରେ କୋର୍ଟ ଜାମିନ୍‌ ଦେବା ପୂର୍ବରୁ ‘ମାଉସ୍‌’ କ୍ଲିକ୍‌ରେ ଜଣେ ଅଭିଯୁକ୍ତର ପୂର୍ବ ଅପରାଧ ରେକର୍ଡ ଜାଣିପାରିବେ। ପୂର୍ବ ରେକର୍ଡ ଆଧାରରେ ଜାମିନ ମିଳିବା ସହଜ ହେବ ନାହିଁ। ଏହା ବାଦ୍‌ କାରାଗାର ବିଭାଗରେ ବ୍ରିଟିସ୍‌ ଅମଳରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଜେଲ୍‌ ମାନୁଆଲ୍‌ରେ ପରିବର୍ତ୍ତନ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଜେଲ୍‌ ବିଭାଗ କରିବାକୁ ଯାଉଥିବାରୁ ମାନୁଆଲ୍‌ରେ ପରିବର୍ତ୍ତନ କରାଯାଉଛି। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ବେଳେ ମାର୍ଚ୍ଚରୁ ନୂଆ ମାନୁଆଲ୍‌ କାର୍ଯ୍ୟକାରୀ ହେବାକୁ ଯାଉଥିବା କାରାଗାର ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ପ୍ରିଜିନସ୍‌ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ (ପିଏମ୍‌ଏଲ୍‌) ରେ ଓଡ଼ିଶାରେ କାରାଗାର ବିଭାଗ ଏକ ବୃହତ୍‌ ସ˚ସ୍କାର ଇ-ପ୍ରିଜିନସ୍‌ ପ୍ରକଳ୍ପ ମାଧ୍ୟମରେ ଆଣିବାକୁ ଯାଉଛି। ରାଜ୍ୟରେ ଥିବା ୯୧ଟି ଜେଲ୍‌ ପାଇଁ ପ୍ରକଳ୍ପ ବାବଦ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦: ୪୦ ଅନୁପାତରେ ଟଙ୍କା ଖର୍ଚ୍ଚ କରିବେ। କୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ଦେବା ପୂର୍ବରୁ ତାଙ୍କ ପୂର୍ବ ଅପରାଧିକ ରେକର୍ଡ ଏବ˚ ସଜା ସମ୍ପର୍କରେ ଜାଣିବାରେ ସମସ୍ୟା ହେଉଛି। ଯାହାଫଳରେ ଦୁର୍ଦ୍ଦାନ୍ତ ଅପରାଧୀ କୋର୍ଟରୁ ସହଜରେ ଜାମିନ ପାଇଯାଉଛନ୍ତି। କିନ୍ତୁ ଏବେ ଇ- ପ୍ରିଜିନସ୍‌ ବ୍ୟବସ୍ଥା ଆରମ୍ଭ ହେବା ପରେ ଓଡ଼ିଶାରେ ଥିବା ୯୧ଟି ଜେଲ୍‌ର ୧୭ହଜାର ଦୋଷୀ ସାବ୍ୟସ୍ତ ଏବ˚ ବିଚାରାଧୀନ କଏଦୀଙ୍କ ଅପରାଧିକ ମାମଲା, କେବେ-କେଉଁ ଜେଲ୍‌ରେ କେତେ ଦିନ ରହିଥିଲେ, କେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ଓ କେଉଁ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଇଥିଲେ ଏବ˚ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପୂର୍ଣ୍ଣ ଠିକଣା ଇ-ପ୍ରିଜିନସ୍‌ ବ୍ୟବସ୍ଥାରେ ଡିଜିଟାଇଜେସନ୍‌ କରାଯିବ। ଅନ୍‌ଲାଇନ୍‌ରେ କଏଦୀଙ୍କ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଇ-କୋର୍ଟ ଏବ˚ ପୁଲିସର ସିସିଟିଏନ୍‌ଏସ୍‌ (କ୍ରାଇମ୍‌ ଆଣ୍ତ କ୍ରିମିନାଲ୍‌ ଟ୍ରାକି˚ ନେଟଵାର୍କ ଆଣ୍ତ ସିଷ୍ଟମ୍‌ସ) ସହିତ ଇ-ପ୍ରିଜନସ୍‌ ବ୍ୟବସ୍ଥା ଅନ୍‌ଲାଇନ୍‌ରେ ସ˚ଯୋଗ କରାଯିବ। ଏହି ବ୍ୟବସ୍ଥା ମାଧ୍ୟମରେ ଜଣେ କଏଦୀକୁ ଜେଲ୍‌ରେ କେଉଁମାନେ ଭେଟୁଛନ୍ତି, ସେମାନଙ୍କ ତଥ୍ୟ ମଧ୍ୟ ଅନ୍‌ଲାଇନ୍‌ରେ ରହିବ। କାରାଗାର ବିଭାଗ କର୍ତ୍ତୃପକ୍ଷ ଚାହିଁଲେ, ଗୋଟିଏ ମିନିଟ୍‌ରେ ତାହା ଦେଖି ପାରିବେ। ୧୭ହଜାର କଏଦୀଙ୍କ ଅତିରିକ୍ତ ଗତ ୧୦ ବର୍ଷର କଏଦୀଙ୍କ ତଥ୍ୟ ବି ଡିଜିଟାଇଜେସନ୍‌ କରାଯାଉଛି। ମୋଟ ୮ ଲକ୍ଷ କଏଦୀଙ୍କ ତଥ୍ୟ ଏବେ ସ˚ଗ୍ରହ କରାଯାଉଛି। ଏଥିପାଇଁ ବିଏସ୍‌ଏନ୍‌ଏଲ୍‌ ଇଣ୍ଟର‌୍‌ନେଟ୍‌ ସେବା ଯୋଗାଇବ। ଏନ୍‌ଆଇଏସ୍‌ଜି (ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର‌୍‌ ସ୍ମାର୍ଟ ଗଭର୍ଣ୍ଣମେଣ୍ଟ), ବିଏସ୍‌ଏନ୍‌ଏଲ୍‌, ଏନ୍‌ଆଇସି (ନ୍ୟାସ୍‌ନାଲ୍‌ ଇନ୍‌ଫର‌୍‌ମେଟିକ ସେଣ୍ଟର) ଓ ଓକାକ୍‌ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌ ସେଣ୍ଟର) ମିଳିତ ଭାବେ ଇ-ପ୍ରିଜିନସ୍‌ ପ୍ରକଳ୍ପ ପାଇଁ କାମ କରୁଛନ୍ତି। ମାର୍ଚ୍ଚ ସୁଦ୍ଧା ଡିଜିଟାଇଜେସନ୍‌ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଛି।

ସମ୍ପାଦନା – ମନୋରଞ୍ଜନ ମହାପାତ୍ର

Leave a comment

Your email address will not be published. Required fields are marked *