#Uncategorized

ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-2020ର ପାନରୋମା ପାଇଁ ନୀଳମାଧଵ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’ ମନୋନୀତ

ଓଡିଶା ପାଇଁ ଏକ ଖୁସି ଓ ଗୌରବର ଖବର | ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସଵର ପାନରମାରେ ଅନ୍ତର୍ଜାତିକ ନିର୍ମାତା ଓ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’ ମନୋନୀତ ହୋଇଛି | କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି |
ଓଡିଶାର ଜନଜୀବନରେ ପ୍ରକୃତି ସହିତ ସଂଘର୍ଷ ଏକ ନିତିଦିନିଆ କଥା | ଶହ ଶହ ବର୍ଷ ଧରି ବନ୍ୟା, ବାତ୍ୟା ଓ ମହାମାରୀ ସହିତ ସଂଘର୍ଷ କରି ଓଡ଼ିଆ ଜାତି ନିଜର ଅସ୍ତିତ୍ବ ବଜାୟ ରଖିଛି | ପ୍ରକୃତି ସହ ଆମ ସଂଘର୍ଷର ପ୍ରତିଫଳନ ଆମେ ଦେଖିଛୁ ଆମର ‘ମାଳିକା ସାହିତ୍ୟ’ରେ | ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ‘ମାଳିକା’ ଆମକୁ ଏହି ସଂଘର୍ଷର କାହାଣୀ କହିବା ସହିତ ଆମକୁ ସତର୍କ କରାଇ ଦିଏ ଯେ ଯଦି ପ୍ରକୃତି ସାଥିରେ ଆମର ସମ୍ପର୍କ ବିଗିଡିଯାଏ ତାହେଲେ ପ୍ରଳୟ ଆସିବା ସ୍ୱାଭାବିକ | ‘ବାଇଶି ପାହାଚେ ଖେଳିବ ମୀନ’ – ମାଳିକାର ଏକ କଳ୍ପନା ନୁହେଁ, ଏହା ଆମ ପାଇଁ ଏକ ସତର୍କବାଣୀ | ବର୍ତ୍ତମାନ ସମୟରେ ଜଳବାୟୁର ପରିବର୍ତ୍ତନ ସହିତ ପରିବେଶ ବିପର୍ଯୟ ଆମକୁ ଅଧିକ ବିପଦଗ୍ରସ୍ତ କରୁଛି | ଜଳବାୟୁ ପରିବର୍ତ୍ତନ କେବଳ ଏକ ଭବିଷ୍ୟବାଣୀ ନୁହେଁ, ଏହା ଆଜିର ସବୁଠୁ ବଡ ସଙ୍କଟ | ଏହି ପୃଷ୍ଠଭୂମିରେ ତିଆରି ହୋଇଛି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ନୀଳ ମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’ | ଏହି ସିନେମାରେ ଓଡ଼ିଆ ମାଳିକା ପରମ୍ପରା ସହିତ ଆଜିର ସାମାଜିକ ଜୀବନକୁ ଯୋଡି ଏକ ଚମତ୍କାର କାହାଣୀ କହିଛନ୍ତି ନୀଳମାଧଵ | ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନେକ ଉଚ୍ଚ ପ୍ରଶଂସିତ ସିନେମା କରିଥିବା ନୀଳମାଧଵ ପ୍ରଥମ ଥର ଲାଗି ଓଡ଼ିଆରେ ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦ ଓ ଶୈଳୀର ଏହି ସିନେମା ତିଆରି କରିଛନ୍ତି | ସମୁଦ୍ର ଗର୍ଭରେ କ୍ରମେ କ୍ରମେ ହଜି ଯାଉଥିବା ସାତଭାୟା ଅଞ୍ଚଳକୁ ନେଇ ଏହି ସିନେମା ନିର୍ମିତ | 2005 ମସିହାରୁ ବିଭିନ୍ନ ପର୍ଯ୍ୟାୟରେ ଏହି ଚଳଚ୍ଚିତ୍ର ଶୁଟିଂ ହୋଇଛି |

କାଲିର ଅତୀତ

ଏହି ଚଳଚ୍ଚିତ୍ରର ମୁଖ୍ୟ ନାୟକ ଗୁନୁ ନିଜର ପୁରୁଣା ଜୀବନକୁ ଫେରୁଛି | ତା’ର ପୁରୁଣା ଜୀବନରେ ରହିଛି ସମୁଦ୍ର ଭିତରେ ବୁଡି ଯାଇଥିବା ଗୋଟେ ଗାଁ ଓ 1999 ମହାବାତ୍ୟାରେ ଉଜୁଡି ଯାଇଥିବା ପରିବାର | ଗୋଟିଏ ବାତ୍ୟାରୁ ଆଉ ଗୋଟେ ବାତ୍ୟାର ସ୍ମୃତିକୁ ଫେରିବାର ଏକ ଚମତ୍କାର କାହାଣୀ ଏହି ସିନେମାରେ ରହିଛି | ଗୁନୁ ସହିତ ସମୁଦ୍ର, ସ୍ମୃତି ଓ ମୃତ୍ୟୁର ଏକ ବିସ୍ତୃତ କୋଲାଜ ପ୍ରସ୍ତୁତ କରିଛନ୍ତି ନୀଳମାଧଵ ପଣ୍ଡା | ନିଜ ସିନେମା ବିଷୟରେ ଶ୍ରୀ ପଣ୍ଡା କହନ୍ତି, ‘କାଲିର ଅତୀତ’ ହେଉଛି ଅତୀତର ଦର୍ପଣରେ ମଣିଷ ସମାଜର ଭବିଷ୍ୟତ କାହାଣୀ |

ନୀଳ ମାଧବ ପଣ୍ଡା

ଭାରତୀୟ ଚଳଚ୍ଚିତ୍ର ଜଗତରେ ନୀଳମାଧଵ ପଣ୍ଡା ଏକ ସଫଳ ଓ ସମ୍ମାନସ୍ପଦ ନାମ | ପୂର୍ବରୁ ‘ଆଇ ଆମ କଲାମ’, ‘ଜଲପରୀ’, ‘କୌନ କିତନେ ପାନି ମେଁ’, ‘ବବଲୁ ହାପି ହୈ’, ‘କଡ଼ବୀ ହୱା’ ଓ ‘ହଲକା’ ପରି ଚଳଚ୍ଚିତ୍ର ନିର୍ମାଣ କରି ଶ୍ରୀ ପଣ୍ଡା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ବାର ପୁରସ୍କୃତ ହୋଇଛନ୍ତି | ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତଥା ପଦ୍ମଶ୍ରୀ ଭଳି ମର୍ଯ୍ୟାଦାଜନକ ପୁରସ୍କାର ପାଇଥିବା ନୀଳମାଧଵ ନିଜକୁ ଜଣେ ନିଛକ ଓଡ଼ିଆ ଭାବରେ ପରିଚିତ କରାଇଥାନ୍ତି | କାହାଣୀରେ ନୂଆ ସମୟର ଆହ୍ୱାନକୁ ଗ୍ରହଣ କରି ଚଳଚ୍ଚିତ୍ରରେ ବାସ୍ତବତାର ନୂଆ ଛବି ସେ ତିଆରି କରନ୍ତି | ତାଙ୍କ ସିନେମାରେ ସାଧାରଣ ମଣିଷର ସଂଘର୍ଷ ସାଥିରେ ସ୍ମୃତି ଓ ଅନୁଭୂତିର ଚିତ୍ର ରହିଥାଏ | ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ହାସଲ କରି ନୀଳମାଧଵ ଓଡିଶା ପାଇଁ ଗୌରବ ଆଣିଛନ୍ତି |

Leave a comment

Your email address will not be published. Required fields are marked *