#Exclusive

କଠୋର ହେଲା +୨ ପରିଷଦ – ସିସିଟିଭି ନାହିଁ ତ ଖାତା ନେବୁନି

ଭୁବନେଶ୍ୱର (୨୬/୦୧/୨୦) ବ୍ୟୁରୋ : ସିସିଟିଭି ଲଗାଯାଇନଥିବା ପରୀକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ +୨ ପ୍ରାକ୍ଟିକାଲ ଖାତାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଉ ଗ୍ରହଣ କରିବ ନାହିଁ। +୨ବାର୍ଷିକ ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ, ସେଲ୍‍ଫ ଫାଇନାନ୍ସିଂ ସ୍କୁଲ୍‍କୁ ବାରମ୍ବାର ତାଗିଦ କରାଯାଉଥିଲେ ବି କେତେକ ସ୍କୁଲ୍‍ କର୍ତ୍ତୃପକ୍ଷ ସିସିଟିଭି ଲଗାଉ ନାହାନ୍ତି। ତେଣୁ ପରିଷଦର ପରୀକ୍ଷା ନିୟନ୍ତ୍ରକ ଏ ନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁମାନେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଉ ନାହାନ୍ତି ସେମାନେ ଫେବୃୟାରୀ ୧୦ ସୁଦ୍ଧା ସିସିଟିଭି ଲଗାଇବେ।ସିସିଟିଭି ସହ ପାୱାର ବ୍ୟାକ୍‍ଅପ ବ୍ୟବସ୍ଥା ସଂଯୋଗ କରିବେ। ସେହିପରି ଯେଉଁଠି ସିସିଟିଭି ନଥିବ ସେହି କେନ୍ଦ୍ର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ଉତ୍ତର ଖାତା ଏବଂ ମାର୍କ ଫଏଲ୍‍ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଗ୍ରହଣ କରିବେ ନାହିଁ। ଏହା ବ୍ୟତୀତ ଧାର୍ଯ୍ୟ ସମୟରେ ସିସିଟିଭି ନ ଲଗାଇଲେ ସଂପୃକ୍ତ ପରୀକ୍ଷା କେନ୍ଦ୍ରକୁ ବାତିଲ କରି ଏହାକୁ ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍‍ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

ସମ୍ପାଦନା ମନୋରଞ୍ଜନ ମହାପାତ୍ର

Leave a comment

Your email address will not be published. Required fields are marked *