#Exclusive

ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଫେରିବା ଅନିଶ୍ଚିତ, ଅଧିକ ସୁଧ ଲୋଭରେ ବୁଡିବ ମୁଳପୁଞ୍ଜି ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ

pic Courtesy: News24

ପୁରୀ (06/03/20)(ବ୍ୟୁରୋ) : ପ୍ରଶାସନିକ ଅଧିକାରୀଙ୍କ ଅଧିକ ସୁଧ ପାଇବା ଲୋଭ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ବିପଦ ମୁହଁକୁ ​‌ଠେଲିହୋଇ ଯାଇଛି। ୟେସ୍‌ ବ୍ୟାଙ୍କର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ଏହି ଅର୍ଥ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛନ୍ତି। ଗ୍ରାହକଙ୍କ ଟଙ୍କା ଉଠାଣ ସୀମା ୫୦ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏସବୁ ସତ୍ତ୍ବେ ନିଧଡକ ହୋଇ ବସିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ଏତେଗୁଡାଏ ଟଙ୍କା କିପରି ଫେରିବ ସେଥିନେଇ ଏପର୍ଯ୍ୟନ୍ତ ତତ୍ପରତା ପ୍ରକାଶ ପାଇନାହିଁ। କ୍ଷମତାର ଦୁରୂପଯୋଗ କରି ପରିଚାଳନା କମିଟି ଅନୁମୋଦନ ବିନା ଘରୋଇ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଶହ ଶହ କୋଟି ଟଙ୍କା ଜମା ରଖିଥିବା ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।

ୟେସ୍‌ ବ୍ୟାଙ୍କର ପୁରୀ ଶାଖାରେ ଏବେ ମଧ୍ୟ ଶ୍ରୀଜଗନ୍ନାଥଙ୍କର ୫୪୫ କୋଟି ଟଙ୍କା ସ୍ଥାୟୀଜମା ରହିଛି। ଏହାକୁ କେନ୍ଦ୍ରକରି ଗତ ଫେବୃଆରୀ ୫ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା । ୟେସ୍‌ ବ୍ୟାଙ୍କରେ ଜମାଥିବା ଟଙ୍କା ଉଠାଇ ଏକ ଜାତୀୟକରଣ ବ୍ୟାଙ୍କରେ ରଖିବାକୁ ବୈଠକରେ ସ୍ଥିର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ୫୯୨କୋଟି ଟଙ୍କା ମଧ୍ୟରୁ ମନ୍ଦିର ପ୍ରଶାସନ ଏହାପରେ ୪୭କୋଟି ଟଙ୍କା ଉଠାଇ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଜମା କରିଛନ୍ତି। ଅବଶିଷ୍ଟ ୫୪୫ କୋଟି ଟଙ୍କାର ଜମା ଅବଧି ଶେଷହେବା ତାରିଖ ଚଳିତମାସ ୧୯ରୁ ୩୦ତାରିଖ ମଧ୍ୟରେ ରହିଛି। ତେବେ ୟେସ୍‌ ବ୍ୟାଙ୍କରୁ ଜମାଟଙ୍କା ଉଠାଣ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ହଠାତ୍‌ କଟକଣା ଜାରି କରିବା ପରେ ଶ୍ରୀଜଗନ୍ନାଥଙ୍କ ଏତେଗୁଡାଏ ଟଙ୍କା କିପରି ଫେରିବ ସେଥିନେଇ ସମସ୍ୟା ଦେଖାଦେଇଛି। ପ୍ରଶାସନର ଏଭଳି ଖାମଖିଆଲ ନୀତି ଏବଂ ଦାୟିତ୍ବହୀନତା ଅଗଣିତ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି।

Leave a comment

Your email address will not be published. Required fields are marked *