#Exclusive

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରି ଫିଙ୍ଗିଦେଲେ ରାସ୍ତା ପାର୍ଶ୍ବରୁ ବାଇକ୍ ସହ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା/ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ସୂଚନା ଅଧିକାର କର୍ମୀଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୂଷା ହାଜତ ମୃତ୍ୟୁ ଘଟଣାକୁ ସାମନାକୁ ଆଣିବାରେ ଗୋଟିଏ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାଟକୁରା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ବାସିନ୍ଦା ରଂଜନ କୁମାର ଦାସ(୪୨)ଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମାର୍ଶାଘାଇ ଥାନା ପୁଲିସ ହଳଦିଆ-ପୋତାରୀ ରାସ୍ତାର ବେରୁହାଁ ଗ୍ରାମ ନିକଟ ରାସ୍ତା କଡ଼ରୁ ରଂଜନଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ୍‌ ପଠାଇଛି। କେନ୍ଦ୍ରାପଡ଼ା ଏସ୍‌ପି ନିତିଶେଖରଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ  ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍‌ ଓ ସଂଧାନୀ କୁକୁର ଜରିଆରେ ଘଟଣାର ଛାନଭିନ୍ କରିଛନ୍ତି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ସେପଟେ ପରିବାର ଲୋକ ବି ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦର୍ଶାଇଛନ୍ତି। ମୃତ ରଂଜନଙ୍କ ଭିଣୋଇ ବଳରାମ ଦାସ ମାର୍ଶାଘାଇ ଥାନାରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ମାଣିକପୁର ଗ୍ରାମର ଲକ୍ଷ୍ମୀଧର ଦାସଙ୍କ ପୁଅ ରଂଜନ ଜଣେ ଜଣାଶୁଣା ସୂଚନା ଅଧିକାର କର୍ମୀ। ସେ ସୂଚନା ଅଧିକାର ଆଇନ ଅଭିଯାନର ଜିଲ୍ଲା ଆବାହକ ଓ ଆର୍ଦ୍ରଭୂମି ସୁରକ୍ଷାର ରାଜ୍ୟ ସଂଯୋଜକ ଥିଲେ। ଜଣେ ସୂଚନା ଅଧିକାର କର୍ମୀ ହିସାବରେ ସେ ବିଭିନ୍ନ ସମୟରେ ଜିଲ୍ଲା, ବ୍ଲକ୍ ତଥା ପଂଚାୟତ ସ୍ତରରେ ଆର୍‌ଟିଆଇରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଣି ଦୁର୍ନୀତିର ପର୍ଦ୍ଦାଫାସ୍‌ ଦିଗରେ କାର୍ଯ୍ୟ କରୁଥିଲେ। ଏମିତିକି ସରକାରୀ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ। ଏଥିପାଇଁ ସେ ଲୋକ ପ୍ରତିନିଧିଙ୍କଠୁ ଆରମ୍ଭ କରି ଠିକାଦାର, ମାଫିଆ ତଥା ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଟାର୍ଗେଟ୍‌ରେ ରହୁଥିଲେ।

ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ସକାଳେ ରଂଜନ ଘରୁ ବାହାରି ଆସିଥିଲେ। ମଧ୍ୟାହ୍ନରେ ଭଉଣୀ ଘରେ ଖାଇବା ପରେ ରାତିରେ ମା’ଙ୍କ ଔଷଧ ନେଇ ଘରକୁ ଫେରିଯିବାର ଥିଲା। କିନ୍ତୁ ଆଜି ବଜାଜ୍‌ ଡିସକଭର୍‌ ବାଇକ୍ (ଓଆର୦୪ଜି-୧୩୦୪) ସହିତ ତାଙ୍କ ମୃତଦେହ ବେରୁହାଁ ଗ୍ରାମ ରାସ୍ତା ପାର୍ଶ୍ବରୁ ଉଦ୍ଧାର ହୋଇଥିଲା। ସେ ତଳକୁ ମୁହଁମାଡ଼ି ପଡ଼ିଥିବା ବେଳେ ତାଙ୍କ ଉପରେ ବାଇକ୍ ଏବଂ ବାମ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ସକାଳୁ ଏ ସଂପର୍କରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା। ଏସ୍‌ପି ନିତିଶେଖର, ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ତା, ମାର୍ଶାଘାଇ ଥାନାଧିକାରୀ କାଳନ୍ଦୀ ବେହେରା, ଏସ୍‌ଆଇ ଦେବାଶିଷ ପଣ୍ତା, ସ୍ପେସାଲ ସ୍କ୍ବାଡ୍‌ ଇନିସ୍ପେକ୍ଟର ପି.କେ କାନୁନ୍‌ଗୋ ଘଟଣାସ୍ଥଳରେ ପହଞ୍ଚି ସଂଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଜରିଆରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ଅନ୍ୟପକ୍ଷରେ ରଂଜନଙ୍କ ହତ୍ୟାକୁ ବହୁ ସୂଚନା ଅଧିକାରୀ କର୍ମୀ ଓ ମାଣିକପୁର ଗ୍ରାମବାସୀ ନିନ୍ଦା କରିବା ସହ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଅଥବା ସିବିଆଇ ଦ୍ବାରା କରିବା ପାଇଁ ଦାବି କରିଛନ୍ତି। ପରିବାର ଲୋକ ବି ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି। ଭିଣୋଇ ବଳରାମ ଦାସ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶଳାଙ୍କୁ ହତ୍ୟା କରାଯିବା ପରେ ଦୁର୍ଘଟଣାର ରୂପ ଦେବା ପାଇଁ ମୃତଦେହକୁ ବାଇକ୍ ସହିତ ଆଣି ରାସ୍ତା ପାର୍ଶ୍ବରେ ଫିଙ୍ଗି ଦିଆଯାଇଛି। ଏଥିରେ ଚିଙ୍ଗୁଡ଼ି ମାଫିଆ, ଠିକାଦାର, ପଂଚାୟତ ଲୋକ ପ୍ରତିନିଧି ଏବଂ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ମାର୍ଶାଘାଇ ଥାନାରେ ଏକ ମାମଲା(କେସ୍‌ ନଂ-୨୪/୨୦, ଦଫା ୩୦୨, ୩୪ଆଇପିସିରେ) ରୁଜୁ କରିଛି। ମାର୍ଶାଘାଇ ଥାନାଧିକାରୀ କାଳନ୍ଦୀ ବେହେରା କହିଛନ୍ତି ଯେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ।

Leave a comment

Your email address will not be published. Required fields are marked *