#Breaking News

ପେଟ ଯନ୍ତ୍ରଣାରେ ପୀଡିତ ଦଶମ ଶ୍ରେଣୀ ଛାତ୍ରୀ: ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ପାଇଁ ସହାୟତା ଲୋଡିଲେ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଜଣା ପେଟ ଯନ୍ତ୍ରଣାରେ ପୀଡିତ ଦଶମ ଶ୍ରେଣୀ ଛାତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରହ୍ମଣୀ ଗାଁର ଥାନା ଅଞ୍ଚଳର ସୁଦର୍ଶନ ନାୟକଙ୍କ ଝିଅ ଲେହା ନାୟକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ଅନୁଯାୟୀ, ଲେହାଙ୍କୁ କିଛି ଦିନ ତଳେ ହଠାତ୍‌ ଥଣ୍ଡା ଓ ଜ୍ୱର ହୋଇଥିଲା । ତାଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦେହ ଭଲ ହେବା ପରିବର୍ତ୍ତେ ଥଣ୍ଡା ଜ୍ୱର ସାଙ୍ଗକୁ ପେଟବ୍ୟଥା ଆରମ୍ଭ ହୋଇଥିଲା । ଏହାପରେ ପରିବାର ଏବଂ ଗ୍ରାମର କିଛି ଭଦ୍ର ବ୍ୟକ୍ତି ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ । ସେଠାରେ ମଧ୍ୟ କିଛି ପରିବର୍ତ୍ତନ ହୋଇନଥିଲା । ତେବେ ବର୍ତ୍ତମାନ ଲେହାଙ୍କୁ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସା କରାଯାଉଛି ।ଯାହାକି, ଏବେ ଦୈନିକ ଚିକିତ୍ସା ଖର୍ଚ୍ଚ ୧୦ରୁ ୧୨ ହଜାର ପଡୁଥିବାର ମଜୁରିଆ ବାପା ଓ ମା ଚିନ୍ତାର ପଡିଛନ୍ତି । ବାପା ସୁଦର୍ଶନ ଜଣେ ଦିନ ମଜୁରିଆ ଭାବେ ସୁରଟ ସହରରେ କାମ କରି ପରିବାର ପୋଷଣ କରୁଛନ୍ତି । ଏଭଳି ପରିସ୍ଥିତିରେ ଗାଁର କିଛି ମହିଳା ଓ ଯୁବ ଗୋଷ୍ଠୀ ୨୦ ହଜାର ପଠାଇଥିଲେ । ହେଲେ ତାହା ସମୁଦ୍ରକୁ ଶଙ୍ଖେ ପାଣି ଭଳି । ବିଜୁ ସ୍ୱାସ୍ଥ୍ୟ କାର୍ଡ ବି କାମରେ ଲାଗୁନାହିଁ । ଏଣୁ ଜିଲ୍ଲା ପ୍ରଶାସନ, ରେଡକ୍ରସ ତଥା କିଛି ବଦାନ୍ୟ ବ୍ୟକ୍ତିଙ୍କୁ ସହଯୋଗ ପାଇଁ ପରିବାର ଓ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Leave a comment

Your email address will not be published. Required fields are marked *