#Exclusive

ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର ବୀରସାଲ୍‌ ଏୟାରଷ୍ଟ୍ରିପ୍‌ର ସମ୍ପ୍ରସାରଣ ଆରମ୍ଭ ; ‘ଗତି’ ପକ୍ଷରୁ ନିୟମିତ ବିମାନ ଚାଳନା ପ୍ରଶିକ୍ଷଣ

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରର ଏୟାରସ୍ପେଶ୍ ଏବେ ପୂର୍ବାପେକ୍ଷା ବ୍ୟସ୍ତବହୁଳ ରହୁଥିବାରୁ ବିମାନ ଚାଳନା ପ୍ରଶିକ୍ଷଣ ଦେଉଥିବା ସରକାରୀ ବିମାନ ପ୍ରଶିକ୍ଷଣ ଅନୁଷ୍ଠାନ (ଗତି)କୁ ଆଉ ଉଡ଼ାଣ ପାଇଁ ସମୟ ମିଳୁନାହିଁ। ଏପରିସ୍ଥଳେ ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର ବୀରସାଲ୍‌ ଏୟାରଷ୍ଟ୍ରିପ୍‌ରେ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ କରିବା ଜରୁରୀ ହୋଇପଡ଼ିଛି।
ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦରରେ ବାଣିଜ୍ୟିକ ବିମାନ ସଂଖ୍ୟାରେ ବୃଦ୍ଧି ଘଟିଥିବା ବେଳେ ଏଠାକାର ଏୟାରସ୍ପେଶ ବ୍ୟସ୍ତ ରହୁଛି। ଏପରି ଅବସ୍ଥାରେ ‘ଗତି’ ପକ୍ଷରୁ ବିମାନ ଚାଳନା ପ୍ରଶିକ୍ଷଣ ପାଇଁ ବ୍ୟବହାର ହେଉଥିବା ଛୋଟ ବିମାନକୁ ସମୟ ମିଳୁନାହିଁ। ତେଣୁ ଭୁବନେଶ୍ବର ବଦଳରେ ବୀରସାଲ୍‌ ଏୟାରଷ୍ଟ୍ରିପ୍‌ରୁ ନିୟମିତ ଭାବେ ବିମାନ ଚାଳନା ପ୍ରଶିକ୍ଷଣ ପାଇଁ ଗତବର୍ଷ ଜୁନରେ ‘ଗତି’କୁ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି। ସେଠାରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ‘ଗତି’ ସ୍ଥାୟୀ ଭାବେ ସେଠାରେ ବିମାନ ପ୍ରଶିକ୍ଷଣ ଆରମ୍ଭ କରିପାରୁ ନାହିଁ। ବୀରସାଲ୍‌ ଏୟାରଷ୍ଟ୍ରିପ୍‌ରେ ବିମାନ ରଖିବା ଓ ମରାମତି ପାଇଁ ହ୍ୟାଙ୍ଗର ନିର୍ମାଣ ଆବଶ୍ୟକ। ସେଠାରେ ରାତ୍ରିକାଳୀନ ବିମାନ ଉଡ଼ାଣ ପାଇଁ ସୌର ଚାଳିତ ଲାଇଟ୍‌ ବ୍ୟବସ୍ଥା କରିବା ପାଇଁ ଉଡ଼ାଣ ଦାୟିତ୍ବରେ ଥିବା ଘରୋଇ ସଂସ୍ଥା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍ ଆଣ୍ଡ ସିକ୍ୟୁରିଟିଜ୍ (ବିସିଏଏସ୍‌)ର ନିର୍ଦେଶ ଅନୁସାରେ ସୁରକ୍ଷା ବ୍ୟବସ୍ଥାର ତର୍ଜମା ଜରୁରୀ । ଏଥିସହ ଇନ୍ଧନ ଡିପୋ, ଏଟିସି ଟାୱାର, ଆମ୍ବୁଲାନ୍ସ ଓ ଦମକଳ ବ୍ୟବସ୍ଥା, ଅନ୍ୟୂନ ୭୦ ଜଣ ପାଇଲଟ୍‌ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ, ୨୫ ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ କ୍ବାର୍ଟର୍ସ ଆଦି ନିର୍ମାଣ କରିବା ପାଇଁ କୁହାଯାଉଛି। ଏହା ବ୍ୟତୀତ ସୁରକ୍ଷା ପାଇଁ ମେଟାଲ ଡିଟେକ୍ଟର, ଏୟାରଷ୍ଟ୍ରିପ୍ ଚତୁଃପାର୍ଶ୍ବରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ସହ ରନୱେ ମରାମତି ମଧ୍ୟ ଜରୁରୀ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୀରସାଲ୍‌ ଏୟାରଷ୍ଟ୍ରିପ୍‌ର ସମ୍ପ୍ରସାରଣ ପାଇଁ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Leave a comment

Your email address will not be published. Required fields are marked *