#Exclusive

ଏପ୍ରିଲ ୫ରୁ ୩୬ତମ ଭୁବନେଶ୍ୱର ପୁସ୍ତକ ମେଳା

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ମାସ ୫ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ୍- ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ‘ଭୁବନେଶ୍ୱର ପୁସ୍ତକ ମେଳା କମିଟି’ ପକ୍ଷରୁ ରାଜ୍ୟର ସର୍ବବୃହତ୍ ପୁସ୍ତକ ମେଳା ଅନୁଷ୍ଠିତ ହେବ । ଦଶ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପୁସ୍ତକ ପ୍ରକାଶନୀ ସଂସ୍ଥା ଯୋଗ ଦେବେ ।‘ଭୁବନେଶ୍ୱର ପୁସ୍ତକ ମେଳା କମିଟି’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ୩୬ତମ ପୁସ୍ତକ ମେଳା ସମ୍ପର୍କରେ ଗତ ୨୬ ତାରିଖ ଦିନ ଏଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନିକଟରେ ପରଲୋକ ଗମନ କରିଥିବା ଭୁବନେଶ୍ୱର ପୁସ୍ତକ ମେଳା କମିଟିର ବୟୋଜ୍ୟେଷ୍ଠ ସଦସ୍ୟ ବିଶିଷ୍ଟ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କ ସ୍ମୃତିରେ ବୈଠକ ପ୍ରାରମ୍ଭରେ ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷଠାରୁ ସ୍ୱର୍ଗତ ଦତ୍ତଙ୍କ ସ୍ମୃତିରେ ପୁସ୍ତକ ମେଳା କମିଟି ପକ୍ଷରୁ ଅନୁବାଦ ସାହିତ୍ୟ ପାଇଁ ଏକ ପୁରସ୍କାର ପ୍ରବର୍ତ୍ତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ବୈଠକରେ ନିଆଯାଇଥିବା ଅନ୍ୟାନ୍ୟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କମିଟି ସମ୍ପାଦକ ଅଶୋକ ମହାନ୍ତି କହିଛନ୍ତି ଯେ, ଏପ୍ରିଲ ମାସ ୫ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ପୁସ୍ତକ ମେଳାରେ କେବଳ ଗୋଟିଏ ବର୍ଗର ଷ୍ଟଲ ରହିବ । ପ୍ରକାଶକମାନେ ଚାହିଁଲେ ଏକାଧିକ ଷ୍ଟଲ ନେଇପାରିବେ । ପ୍ରକାଶନୀ ସଂସ୍ଥା ବ୍ୟତୀତ ସ୍କୁଲ୍, କଲେଜ, ବୈଷୟିକ ଅନୁଷ୍ଠାନ, ଆର୍ଥିକ ସଂସ୍ଥା ଇତ୍ୟାଦି ମଧ୍ୟ ଷ୍ଟଲ ନେଇପାରିବେ । ମେଳା ହେବାକୁ ଥିବା ଦଶ ଦିନ ମଧ୍ୟରୁ ୬ ଦିନ ସରକାରୀ ଛୁଟି ଦିବସ ଥିବାରୁ ଏଥର ମେଳା ପରିସରରେ ଅଧିକ ଦର୍ଶକ ଉପସ୍ଥିତ ହେବେ ବୋଲି ଆଶା କରାଯାଉଛି ।ମେଳା ଅବସରରେ ରାଜ୍ୟ ଓ ରାଜ୍ୟ ବାହାରର ଲେଖକ ଓ ପ୍ରକାଶକମାନେ ସାମିଲ ହେଉଥିବାରୁ ସେମାନଙ୍କ ସହିତ ପାଠକ, ପାଠିକାମାନେ ଭାବର ଆଦାନପ୍ରଦାନ କରିବାର ସୁଯୋଗ ପାଇବେ । ଏଥିନିମନ୍ତେ ‘ସ୍ୱତନ୍ତ୍ର ସାହିତ୍ୟିକ ମଣ୍ଡପ’ର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ପ୍ରତ୍ୟେକ ଦିନ ପୁସ୍ତକ ମେଳା ମୁଖ୍ୟ ମଣ୍ଡପରେ ପୁସ୍ତକ ଉନ୍ମୋଚନ, ସାହିତ୍ୟ ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ପୁସ୍ତକ ମେଳା ସମ୍ପର୍କରେ ଏକ ସ୍ମରଣିକା ମଧ୍ୟ ପ୍ରକାଶ କରାଯିବ, ଯେଉଁଥିରେ ପୁସ୍ତକ, ପୁସ୍ତକ ମେଳା ଏବଂ ଅନ୍ୟାନ୍ୟ ସାହିତ୍ୟ ସମ୍ପର୍କିତ ଲେଖା ଓ ତଥ୍ୟ ରହିବ । ପୁସ୍ତକ ମେଳାରେ ଷ୍ଟଲ ନେବାକୁ ଏବଂ ସ୍ମରଣିକାରେ ବିଜ୍ଞାପନ ଦେବାକୁ ଇଚ୍ଛୁକ ସଂସ୍ଥା ଓ ପ୍ରକାଶକମାନେ ପୁସ୍ତକ ମେଳା କମିଟି ଆବାହକ ପବିତ୍ର ପ୍ରଧାନ ଏବଂ ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ଧଳ (୯୪୩୭୦ ୫୯୪୧୭)ଙ୍କ ସହିତ ଯୋଗାଯୋଗ କରିପାରିବେ ।

Leave a comment

Your email address will not be published. Required fields are marked *