#Exclusive

‘ମରିଗଲା ପରେ ଶବ କାନ୍ଧେଇ ରାମ ନାମ ସତ୍ୟ ହେ କହି ସହର ସାରା ବୁଲାଇଲେ,ବାହୁନି କାନ୍ଦିଲେ ମହିଳା ।

ପ୍ରଶାସନ ମରିଗଲା ଆମେ ଏବେ କଣ କରିବୁ, କୁଆଡେ ଯିବୁ, କିଏ ଆମକୁ ରକ୍ଷା ଦେବ ?

ସୋନପୁର( ): ‘ପ୍ରଶାସନ ମରିଗଲା ସରକାର। ଆମେ କ’ଣ କରିବୁ। କିଏ ଆମ ଧାନ କିଣିବ। ଚାଷୀମାନେ କଲବଲ ହୋଇ ମରିଯିବେ।” ଏକ  ଶବ ନିକଟରେ ବସି ଦୁଇ ମହିଳା ଏପରି କହି ବାହୁନି ବାହୁନି କାନ୍ଦୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ। ମଣ୍ଡି ସମସ୍ୟା ସମ୍ପର୍କରେ ଚାଷୀମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଶୁଣୁ ନ ଥିଲେ। ଏଥିରେ ଅତିଷ୍ଠ ହୋଇ  ଆଜି ଚାଷୀମାନେ ଏଭଳି  ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ପ୍ରଶାସନର ଶବକୁ ଖଟିଆରେ ବାନ୍ଧି ସେଥିରେ କଦଳୀ ଗଛ ବାନ୍ଧି ,ଫୁଲହାର ଦେଇ ରାମ ନାମ ସତ୍ୟ ହେ କହି ଏକ ଶୋଭାଯାତ୍ରାରେ ସହର ପରକ୍ରମା କରିଛନ୍ତି ଚାଷୀ। ଏହା ସହ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଶବ ସତ୍କାର କରିଛନ୍ତି।ଅଭିଯୋଗ ଅନୁସାରେ, ଚଳିତ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ୧୨ଟି ପ୍ୟାକ୍ସରେ ଧାନକିଣା ବ୍ୟବସ୍ଥା ହୋଇଥିଲା। ହେଲେ ଟୋକନ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ଏପର୍ଯ୍ୟନ୍ତ ତିନି ଶହରୁ ଅଧିକ ଚାଷୀଙ୍କ ୪୦ ହଜାର ବସ୍ତା ଧାନ ବିକ୍ରି ନହୋଇ ପଡ଼ି ରହିଛି। ଫଳରେ ତରଭା ବ୍ଲକ କୃଷକ ସଂଗଠନ ସଦସ୍ୟ  ବ୍ଲକ କାର୍ଯ୍ୟାଳୟ  ସମ୍ମୁଖରେ ଧାନ ବସ୍ତା ରଖି ଏକ ସପ୍ତାହ ହେଲା ଧାରଣାରେ ବସିଥିଲେ। ଏହାପରେ ଚାଷୀଙ୍କ ଧାନ କ୍ରୟ କରିବାକୁ ରାଜ୍ୟ ସରକାର ପୁନର୍ବାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଛି। ତେବେ ଟୋକନ ପାଇନଥିବାରୁ କିଭଳି ଧାନ ବିକ୍ରି କରିବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ। ସମସ୍ତ ଧାନ ନକିଣିବା ପର୍ଯ୍ୟନ୍ତ ଏଭଳି ଧାରଣା ଜାରି ରହିବ ବୋଲି କୃଷକ ସଂଗଠନ କହିଛି।ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କରକରା ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି।

Leave a comment

Your email address will not be published. Required fields are marked *