#Exclusive

କେମିତି ଜାଣିବେ କରୋନା ଭାଇରସ

: ବର୍ତ୍ତମାନ ସୁଦ୍ଧା ବିଶ୍ବର ୮୦ରୁ ଅଧିକ ଦେଶରେ କରୋନା ଭାଇରସ ବ୍ୟାପିଲାଣି। କରୋନାକୁ ନେଇ ଲାଗି ରହିଥିବା ଆତଙ୍କ ବିଶ୍ବବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ଭାଇରସ୍‌ ଏତେ କ୍ଷୁଦ୍ର ଯେ, ଏହାର ସଂକ୍ରମଣ ମଣିଷ ପାଇଁ ବିପଦ ସୃଷ୍ଟି କରିଛି। ମଣିଷର କେଶଠାରୁ ୯୦୦ ଗୁଣ ପତଳା ଏହି ଭାଇରସ ଏବେ ସବୁଠି ଆତଙ୍କ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ କରୋନା ଭାଇରସ ଆକ୍ରାନ୍ତ ରୋଗୀଠାରୁ ଅନ୍ୟ ଜଣେ କେତେ ଦୂରରେ ରହିବା ଉଚିତ୍‌, ସେ ରୋଗୀ କେତେ ମାତ୍ରାରେ ଭାଇରାଲ ଡ୍ରପ୍‌ଲେଟ୍‌ (ବିଷାଣୁ ବୁନ୍ଦା) ବାୟୁମଣ୍ଡଳକୁ ନିର୍ଗତ କରୁଛି, ରୋଗୀ କେତେ ଥର ମୁହଁରେ ହାତ ବୁଲାଉଛି ଏବଂ ସର୍ବୋପରି ରୋଗୀର ବୟସ ଓ ସୁସ୍ଥତା ଉପରେ ସଂକ୍ରମଣ ନିର୍ଭର କରିଥାଏ। ବିଶ୍ବ ସ୍ବା‌ସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମୁଖପାତ୍ରଙ୍କ କହିବା ଅନୁସାରେ, ଜଣେ କରୋନା ଭାଇରସ ଆକ୍ରାନ୍ତ ବ୍ୟକ୍ତିଠାରୁ ୩ ଫୁଟ ଦୂରରେ ରହିବା ନିରାପଦ। କିନ୍ତୁ ସିଡିସିପି(ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ) କହିଛି, ରୋଗୀଠାରୁ ୬ ମିଟର ଦୂରରେ ରହିବା ମଧ୍ୟ ବିପଦଜନକ।

କରୋନା ଭାଇରସ ସଂକ୍ରମଣର ଲକ୍ଷଣ ସାଧାରଣ ଫ୍ଲୁ ଭଳି। ଥଣ୍ଡା, କାଶ ଏବଂ ଜ୍ବରରୁ ଏହା ଆରମ୍ଭ ହୋଇଥାଏ। ମାତ୍ର, ବେଳେବେଳେ ଏସବୁ କିଛି ଲକ୍ଷଣ ନଥାଇ ମଧ୍ୟ ଜଣେ କରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇପାରେ ବୋଲି ବିଶ୍ବ ସ୍ବା‌ସ୍ଥ୍ୟ ସଂଗଠନର ମୁଖପାତ୍ର ଖ୍ରୀଷ୍ଟିଆନ୍‌ ଲିଣ୍ଡ୍‌ମେୟର କହିଛନ୍ତି। ସେହିଭଳି ବିଭିନ୍ନ ପ୍ରକ‌ାର ଧାତବ ପଦାର୍ଥ, ପ୍ଲାଷ୍ଟିକ୍‌, ମୋବାଇଲ ସ୍କ୍ରିନ୍‌, ବସ୍‌ ପୋଲ୍‌ (ଖୁଣ୍ଟ), ମନ୍ଦିର, ଧାର୍ମିକ ସ୍ଥଳ, ବସ୍‌ ଷ୍ଟପ୍‌ରେ କରୋନା ଭାଇରସ ସଂକ୍ରମଣର ଭୟ ଅଧିକ ଥାଏ। ସଂକ୍ରମିତ ରୋଗୀଙ୍କ ଛିଙ୍କ ଓ କାଶ ମାଧ୍ୟମରେ କରୋନା ଭାଇରସ ସଂକ୍ରମିତ ହୋଇଥାଏ। ହଂକଂର ଏକ ବୌଦ୍ଧ ମନ୍ଦିରରେ ଶତାଧିକ ବ୍ୟକ୍ତି ହଠାତ୍‌ କରୋନା ଭାଇରସ ଆକ୍ରାନ୍ତ ହୋଇ ପଡ଼ିବା ଘଟଣା ମଠ, ମନ୍ଦିର, ଚର୍ଚ୍ଚ, ମସ୍‌ଜିଦ୍‌ ଭଳି ଧାର୍ମିକ ପୀଠର ସମାବେଶ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ବାୟୁ ଚଳପ୍ରଚଳ ହୋଇ ପାରୁ ନଥିବା ସର୍ବସାଧାରଣ ସ୍ଥଳରେ କରୋନା ଭାଇରସ ଆକ୍ରାନ୍ତର ଭୟ ବେଶି ଥାଏ। ଏ ଦୃଷ୍ଟିରୁ ଧାର୍ମିକ ସ୍ଥଳରେ କରୋନା ଭାଇରସ ଆକ୍ରାନ୍ତର ଭୟ ଅଧିକ। ତେବେ ଖୋଲା ସ୍ଥାନରେ ଜଣେ କେହି କାଶିଲେ କି ଛିଙ୍କିଲେ ସେଥିନେଇ ଭୟଭୀତ ହେବାର କାରଣ ନାହିଁ ବୋଲି ହାଭାର୍ଡ ଗ୍ଲୋବାଲ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଆଶିଷ କୁମାର ଝା କହିଛନ୍ତି। ସେହିଭଳି ଚୁମ୍ବନ ମାଧ୍ୟମରେ କରୋନା ଭାଇରସ ସଂକ୍ରମିତ ହୋଇଥାଏ। ଯଦିଓ ଏହା ଏକ ଯୌନ ସଂକ୍ରମିତ ରୋଗ ନୁହେଁ, ତଥାପି ଏ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଗୃହପାଳିତ ପଶୁ, ପକ୍ଷୀଙ୍କ ଦ୍ବାରା ଏହି ଭାଇରସ୍‌ ସଂକ୍ରମିତ ହୋଇ ନଥାଏ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି।

Leave a comment

Your email address will not be published. Required fields are marked *