#Breaking News #District

ସରିଲା ଦଣ୍ଡ ଯାତ୍ରା; ମେରୁରେ ଯାତ୍ରା ସାରି ମନ୍ଦିରକୁ ଫେରିଲେ ମା’କାଳୀ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ୍ ର ବିଭିନ୍ନ ଗ୍ରାମରେ ୧୩ ଓ ୧୪ ଦିନ ଧରି ଆୟୋଜିତ ହୋଇଥିବା ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି I ଏହି ବ୍ଳକ୍ ର ବିଭିନ୍ନ ଗ୍ରାମରେ ୧୩ ଦିନିଆ ଦଣ୍ଡ ଯାତ୍ରା ମାସନ୍ତ ମେରୁରେ ଏବଂ ୧୪ ଦିନିଆ ସଂକ୍ରାନ୍ତି ମେରୁରେ ଉଦଯାପିତ ହୋଇ ମା’ କାଳୀ ନିଜନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି I ରୀତିନୀତି ମୁତାବକ ପ୍ରାତଃ ସମୟରୁ ବିଭିନ୍ନ ଗ୍ରାମର ଦଣ୍ଡୁଆ ମାନେ ଠାକୁରଙ୍କୁ ଧରି ଦଣ୍ଡଯାତ୍ରା ଥିବା ଗ୍ରାମକୁ ଫେରିଥିଲେ I ସେଠାରେ ଠାକୁରଙ୍କର ଦୈନନ୍ଦିନ ପୂଜାବିଧି କରାଯିବା ସହିତ ମଧ୍ୟାହ୍ନରେ ଧୂଳିଦଣ୍ଡ, ଅପରାହ୍ନ ରେ ପାଣିଦଣ୍ଡ ଏବଂ ନଗର ଭ୍ରମଣ ସରିବା ପରେ ମେରୁ ମଣ୍ଡପକୁ ଠାକୁର ବିଜେ କରିଥିଲେ I ସେଠାରେ କାଳିସୀଙ୍କୁ ସ୍ନାନ କରାଯିବା ପରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିଲା I ପ୍ରବଳ ଖରା ସତ୍ତ୍ୱେ ମେରୁ ଯାତ୍ରା ଦେଖିବା ପାଇଁ ମେରୁମଣ୍ଡପ ଗୁଡ଼ିକରେ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବକୁ ମିଳିଥିଲା I ହରିବୋଲ, ହୁଳହୁଳି,ଜୟ ରୁଦ୍ରକାଳୀ ଧ୍ୱନି ସହିତ ଢୋଲ,ମହୁରୀ,ଗିନି ଶବ୍ଦରେ ମେରୁ ମଣ୍ଡପ ଗୁଡ଼ିକ ପ୍ରକମ୍ପିତ ହୋଇଥିଲା I ବିଶେଷ କରି ମେରୁ ଯାତ୍ରା ପରେ ପ୍ରସାଦ ରୂପେ ଫୋପଡା ଯାଉଥିବା ଖଜୁରୀ ଏବଂ ଆମ୍ବ ଗୋଟାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା I ସନ୍ଧ୍ୟାରେ ଆଳତୀ ଅନୁଷ୍ଠିତ ହେବା ପରେ ରାତିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I

Leave a comment

Your email address will not be published. Required fields are marked *