#Breaking News

ପ୍ରବଳ ଜାଡରେ ମଧ୍ୟ ଉଷ୍ମତା ଦେଲାଣୀ ବରଗଡ଼ ପଞ୍ଚାୟତ ନିର୍ବାଚନ


ବରଗଡ଼ ଜିଲ୍ଲାରେ ଏଇ ଯାଏଁ ସରିନି ଶୀତ, ହେଲେ ଜିଲ୍ଲା ରାଜନୀତିକୁ ଉଷ୍ମ କରୁଛି ପଞ୍ଚାୟତ ନିର୍ବାଚନ l ଖାସ କରି ଜିଲ୍ଲା ପରିଷଦ ଆସନ ଉପରେ ରହିଛି ତିନିଦଳର ନଜର l ଚଳିତ ଥର ପ୍ରଚାର ଉପରେ କଟକଣା ଲାଗିଥିବାରୁ ନେତା ଏବେ ଘର ବୁଲି ଭୋଟ ମାଗୁଛନ୍ତି l ଖାସ କରି ଜିଲ୍ଲା ପରିଷଦ ଆସନ ହାତେଇବା ଏବେ ତିନି ଦଳର ଫୋକସରେ ରହିଛି l ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଲଢା ଯାଉଥିବାରୁ ଏହାକୁ ଅକ୍ତିଆର କରିବାକୁ ତିନି ଦଳଙ୍କ ନେତାଙ୍କ ମଧ୍ୟରେ ବ୍ୟସ୍ତତା ଦେଖିବାକୁ ମିଳିଛି l କିନ୍ତୁ ଚଳିତ ଥର ବରଗଡ଼ ଜିଲ୍ଲାର ଜନତା କାହା ସପକ୍ଷରେ ଭୋଟ ଦାନ କରିବେ ତାହାର ଆକଳନ କରିବା ଏବେ ଠାରୁ କଷ୍ଟକର ହୋଇପଡିଛି l କାରଣ ଗତ ନିର୍ବାଚନରେ କିଛି ସେଭଳି ସ୍ଥିତି ଦେଖିବାକୁ ମିଳିଥିଲା ପୁରା ରାଜ୍ୟରେ ଦୁଇମୁଖୀ ଲଢେଇ ଦେଖିବାକୁ ମିଳିଥିଲା l ଭୋଟର ଭାଗ ଭାଗ ହୋଇଯାଇଥିଲେ ଯାହାର ଫାଇଦା ବିରୋଧିଦଳ ଭାଜପାକୁ ହିଁ ମିଳିଥିଲା l
୨୦୧୭ ପଞ୍ଚାୟତ ନିର୍ବାଚନରେ ୩୪ଟି ଜିଲ୍ଲା ପରିଷଦ ଆସନରେ ଭାଜପା ଏକାକୀ ୨୫ଟି ଆସନ ହାତେଇ ଥିବା ବେଳେ ଶାସକ ବିଜୁ ଜନତା ଦଳକୁ ୧୪ଟି ଆସନ ମିଳିଥିଲା। କଂଗ୍ରେସ ଦଳ ଖାତା ଖୋଲି ପାରିନଥିଲେ l ଆଉ ଜିଲ୍ଲା ପରିଷଦ ଆସନ ଅଧକ୍ଷ ଓ ଉପାଧ୍ୟକ୍ଷ ଭାରତୀୟ ଜନତା ପାର୍ଟିର ହାତକୁ ଯାଇଥିଲା l ଆସନ ଦୃଷ୍ଟିରୁ ବିଜେପି ଆଗେଇଥିଲା କିନ୍ତୁ ଭୋଟ ଦୃଷ୍ଟିରୁ ତିନି ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା l ତେବେ ଚଳିତ ଥର ସ୍ଥିତିରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ l କାରଣ ପଞ୍ଚାୟତ ନିର୍ବାଚନ ଫଳାଫଳର ଝଲକ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିନଥିଲା l ଜିଲ୍ଲାର ୫ ବିଧାନସଭା ଆସନରେ ବିଜେଡି ବିଜୟ ବାନା ଉଡ଼ାଇଥିଲା l କିନ୍ତୁ ଲୋକ ସଭା ରେ ବିଜେପି ତା’ର ସ୍ଥିତି ଜାହିର କରି ବିଜୟୀ ହୋଇଥିଲେ। ତେଣୁ ବିଧାନସଭା ଧାରାକୁ ପଞ୍ଚାୟତ ନିର୍ବାଚନରେ ବଜାୟ ରଖିବାକୁ ବିଜେଡି ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବିଜେଡି ବଡ ଚେହେରା ଭାବେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କାନ୍ଧରେ ରହିଛି ପଞ୍ଚାୟତ ଲଢ଼େଇର ଭାର l ସେ ତାଙ୍କ କିଛି କରିସିମା ଦେଖାଇ ଗୋଟିଏ ଜିଲ୍ଲା ପରିଷଦ ଆସନ ଏବଂ ଗୋଟିଏ ବ୍ଲକ ଅଧ୍ୟକ୍ଷ ପଦ ହାସଲ କରିସାରିଲେଣି। ଅପରପକ୍ଷରେ ଅନ୍ୟ ଚାରିଜଣ ବିଧାୟକ ମଧ୍ୟ ଯୋରଦାର୍ କସରତ୍ ଆରମ୍ଭ କରିଥିବା ପରିଲକ୍ଷିତ ହେଲାଣି। ତେବେ ଜିଲ୍ଲାର କେତେକ ସ୍ଥାନରେ ବିଜେଡିର ଫଳାଫଳକୁ ଗୋଷ୍ଠୀ କନ୍ଦଳ କିଛି ମାତ୍ରାରେ ପ୍ରଭାବିତ କରିପାରେ l ଅନ୍ୟପଟେ ୨୦୧୯ ନିର୍ବାଚନ ପରେ ବିଜେପି ଓ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି l ନିକଟରେ କଂଗ୍ରସର ଏବଂ ଭାଜପା ବିଭିନ୍ନ ଅଞ୍ଚଳରେ ସମାବେଶ କରି ଅନ୍ୟଦଳର କିଛି ଛାମୁଆ ନେତାଙ୍କୁ ଦଳରେ ସାମିଲ କରି ବିଜେଡିର ଚିନ୍ତାକୁ ବଢ଼ାଇଦେଇଛନ୍ତି l ସେଇଭଳି ବିଜେପି ମଧ୍ୟ ଏହି ରେସରେ ପଛରେ ନାହିଁ ଦଳ ମୋଦି ସରକାରଙ୍କ ଜନ କଲ୍ୟାଣୀ କାର୍ଯ୍ୟକ୍ରମର ଦ୍ୱାହି ଦେଇ ଭୋଟରଙ୍କ ଭରଷା ଜିତିବାକୁ ଉଦ୍ୟମ କରୁଛି l ସାଂସଦ ସୁରେଶ ପୂଜାରୀ ଦଳର ମଙ୍ଗ ଧରିଥିବା ବେଳେ ଜିଲ୍ଲାରେ କଂଗ୍ରେସ ଦଳ ମଧ୍ୟରେ ସେଭଳି ଜଣାଶୁଣା ଚେହେରା ନଥିବା ଯୋଗୁଁ ଦଳୀୟ ପ୍ରାର୍ଥୀ ନିଜ ବଳରେ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି l ବିଜେଡି ଚଳିତ ନିର୍ବାଚନରେ ଆସନ ସଂଖ୍ୟା ବୃଦ୍ଧି ସହ ଜିଲ୍ଲା ପରିଷଦ ଅଧକ୍ଷ ପଦ ହାତେଇବାକୁ ପ୍ରସ୍ତୁତ ହେଉଛି l


ତେବେ ବିଜେଡ଼ିକୁ ଏତେ ସହଜରେ ବାଟ ଛାଡ଼ିବେନି ଉଭୟ ବିଜେପି ଓ କଂଗ୍ରେସ l ବିଜେପି ଯୁବ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରୁଥିବା ବେଳେ କଂଗ୍ରସର ପାରମ୍ପରିକ ଭୋଟ ବଳରେ ବରଗଡ଼, ଗଡ ଜିତିବାକୁ ଆଶା ରଖିଛି l ଭାଜପା ର ସ୍ଥିତି ମଜଭୁତି ଯୋଗୁଁ ଶାସକ ବିଜେଡି ପାଇଁ ରାଜବୋରାସମ୍ବର, ଗାଇସିଲେଟ,ପିଇକମାଳ, ଅତାବିରା ଗଡ ଭେଦ କରିବା ଏତେ ସହଜ ନୁହେଁ l ତେବେ ଗତ ଥର ଏଥର ଉଭୟ ଦଳ ଶାସକ ବିଜେଡ଼ିକୁ କଡା ଟକ୍କର ଦେଇପାରୁଛନ୍ତି ନା ବିଜେଡି ନିଜ ନିଜର ସଙ୍ଗଠନ ବଳରେ ସହଜରେ ବିଜୟ ହାସଲ କରିପାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି l

Leave a comment

Your email address will not be published. Required fields are marked *