#Breaking News

ଚାଳ ଛପର ଘରେ ନିଆଁ ଲାଗି ବହୁ ଜିନିଷ ନଷ୍ଟ : ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି : ପହଁଚିଲା ବ୍ଲକ ପ୍ରଶାସନ


ବାଲିଗୁଡା,୧୫/୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଉପର ସାହିରେ ଜଣଙ୍କ ଚାଳଛପର ଘରେ ନିଆଁ ଲାଗି ଘର ଓ ଧାନ,ଚାଉଳ ଲୁଗାପଟା ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଶୋଇଥିବା ବୃଦ୍ଧ ଦମ୍ପତି । ସୂଚନା ପ୍ରକାରେ ତିଲୋରୀ ଗ୍ରାମର ଗୋରେଖ ନାୟକ ଓ ସ୍ତ୍ରୀ ସୁକାନ୍ତି ନାୟକ ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ରାତି ପ୍ରାୟ ସାଢେ ୧୧ଟା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ଗୋରେଖଙ୍କ ୧ ବଖରା ଘର ସହିତ ଘର ଭିତରେ ଥିବା ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା । ସାହି ପଡ଼ିଶା ଲୋକେ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଡିଓ ଅଭିମନ୍ୟୁ ବେହେରା ଖବରପାଇବା ପରେ ତୁରନ୍ତ ତିଲୋରୀ ଗ୍ରାମରେ ପହଂଚି ଅଗ୍ନି ବିପନ୍ନ ଗୋରେଖଙ୍କ ସମସ୍ୟା ବୁଝିବା ସହିତ ଚାଉଳ, ଡାଲି, ଲୁଗା ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଛନ୍ତି । ଏଥି ସହିତ ବୁଡାଗୁଡା ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ମିଳିବା ପରେ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ବିଡିଓ ଶ୍ରୀ ଅଭିମନ୍ୟୁ ବେହେରା । ବିଡିଓଙ୍କ ଗସ୍ତ ସମୟରେ କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଘନ ଶ୍ୟାମ ବେହେରାଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave a comment

Your email address will not be published. Required fields are marked *