#Exclusive

ବୋଲେରୋକୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରକ, ୧୧ ମୃତ

ଜୟପୁର: ଏକ ମାଲ୍ ବୋଝେଇ ଟ୍ରକ ଏକ ବୋଲେରୋ କାମ୍ପେରକୁ ଧକ୍କା ଦେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ରାଜସ୍ଥାନର ଯୋଧପୁର ସ୍ଥିତ ଶେରଗଡ଼ ଦେଇ ଯାଇଥିବା ବାଲୋତ୍ରା-ଫାଲୋଦି ଜାତୀୟ ରାଜପଥରେ ଶନିବାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ରହିଥିବା ବେଳେ ୪ ଜଣ ପୁରୁଷ ଏବଂ ଜଣେ ଛୋଟ ଛୁଆ ରହିଛି। ଅନ୍ୟ ୩ ଜଣ ଆହତ ହୋଇ ଯୋଧପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ମୃତକଙ୍କ ମଧ୍ୟରେ ଏକ ନବ ଦମ୍ପତି ମଧ୍ୟ ଅଛନ୍ତି। ଫେବୃଆରୀ ୨୭ରେ ସେମାନଙ୍କର ବାହାଘର ହୋଇଥିଲା। ଏହି ଅବସରରେ ପରିବାର ସହ ବୁଲିବା ପାଇଁ ରାମଦେଓରା ମନ୍ଦିର ଯାଉଥିଲେ। ଦୁର୍ଘଟଣା ପରେ ଶେରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ କ୍ରେନ୍ ସାହାଯ୍ୟରେ ମୃତ ଦେହଗୁଡ଼ିକୁ ଉଦ୍ଧାର କରିଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Leave a comment

Your email address will not be published. Required fields are marked *