#Exclusive

କରୋନା ପାଇଁ ରେଗୁଲେସନ୍ସ ଜାରି କଲା ଓଡ଼ିଶା

ଭୁବନେଶ୍ୱର(ବ୍ୟୁରୋ): ରାଜ୍ୟରେ ଜଣେ ବି କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇନଥିଲେ ସୁଦ୍ଧା ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ଭାଇରସର ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି। ମହାମାରୀ ଆଇନ-୧୮୯୭ର ଧାରା ୨,୩,୪ରେ ପ୍ରଦତ୍ତ କ୍ଷମତା ଆଧାରରେ ଓଡ଼ିଶା ସରକାର ଆଜି କରୋନା ଭାଇରସର ନିୟନ୍ତ୍ରଣ ଓ ପ୍ରତିଷେଧକ ନିମନ୍ତେ ସ୍ୱତନ୍ତ୍ର ରେଗୁଲେସନ୍ସ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ‘ଓଡ଼ିଶା ସିଓଭିଆଇଡି-୧୯ ରେଗୁଲେସନ୍ସ-୨୦୨୦’ ଅନ୍ତର୍ଗତ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକମାନଙ୍କୁ କରୋନା ଭାଇରସ୍ ବ୍ୟାପିବାକୁ ବନ୍ଦ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କ୍ଷମତା ନ୍ୟସ୍ତ କରାଯାଇଛି।ଆଜି ରାଜ୍ୟ କ୍ୟାବିନେଟ ଓ ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାର ଧଳଙ୍କ ଦସ୍ତଖତରେ ଜାରି ହୋଇଥିବା ଏହି ରେଗୁଲେସନ୍ସ ବା ନିୟାମବଳୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲରେ ସନ୍ଦିଗ୍ଧ କରୋନା ଭାଇରସ୍ ଚିହ୍ନଟ ପାଇଁ ବ୍ୟବସ୍ଥା ରହିବ। ଏସବୁ ଚିହ୍ନଟ ସମୟରେ ହସ୍ପିଟାଲଗୁଡ଼ିକ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମସ୍ତ ବିବରଣୀ ଉଲ୍ଲେଖ କରିବେ। ଏପରିକି ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତା’ର ମଧ୍ୟ ରେକର୍ଡ ରଖିବେ। ଯଦି କୌଣସି ବ୍ୟକ୍ତି ପ୍ରଭାବିତ ଅଞ୍ଚଳକୁ ଗତ ୧୪ଦିନ ମଧ୍ୟରେ ଯାଇଥିବେ ଓ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅସ୍ୱାଭାବିକ ଥିବ ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ ତାଙ୍କୁ ଘରେ ଏଜୁଟିଆ ରଖାଯିବ। ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତି ଏହାକୁ ପାଳନ ନକରିବେ ତେବେ ତାଙ୍କୁ ସରକାରଙ୍କ ବ୍ୟବସ୍ଥାରେ ଏକୁଟିଆ ରଖାଯିବ। ଏ ସମ୍ପର୍କରେ ତୁରନ୍ତ ରାଜ୍ୟ ସମନ୍ୱିତ ବିପର୍ଯ୍ୟୟ ସର୍ଭିଲାନ୍ସ ୟୁନିଟ(ଆଇଏସଡିପି) , ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନର ଜଣାଇବେ। ରାଜ୍ୟ ସରକାରଙ୍କ ହେଲପଲାଇନ ନମ୍ବରକୁ ମଧ୍ୟ ଫୋନ୍ ମାଧ୍ୟମରେ ଅବଗତ କରିବେ।

Leave a comment

Your email address will not be published. Required fields are marked *