#Exclusive

ଚିନ୍ତା ବଢ଼ାଇଲେଣି ସୁରତ ଫେରନ୍ତା; ଆଜି ପୁଣି ୫ ଟ୍ରେନରେ ଆସୁଛନ୍ତି ୬ ହଜାର

ଭୁବନେଶ୍ବର (ବ୍ୟୁରୋ):  ବଙ୍ଗ ସଂଯୋଗ ପରେ ଏ​‌ବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି ସୁରତ୍ ସଂଯୋଗ । ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୦% ହେଉଛନ୍ତି ସୁରତ୍ ଫେରନ୍ତା । ଗଞ୍ଜାମ ଜିଲାରେ ଆଜି ଚିହ୍ନଟ ହୋଇଥିବା ୨୪ ଜଣ ସଂକ୍ରମିତଙ୍କର ସୁରତ୍ ଲିଙ୍କ ରହିଛି । ସେହିପରି ଜଗତସିଂହପୁର ଜିଲାର ନାଉଗାଁରୁ ଠାବ ହୋଇଥିବା ସଂକ୍ରମିତଙ୍କର ବି ସୁରତ୍ ସଂଯୋଗ ରହିଛି । ଏହି ଲୋକମାନେ ଟ୍ରେନ ଓ ବସରେ ସୁରତରୁ ଫେରିଥିଲେ । କ୍ବାରେଣ୍ଟାଇନ ସେଣ୍ଟରରେ ସେମାନଙ୍କର ନମୁନା ନିଆଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ଓ ସେମାନେ ସଂକ୍ରମିତ ଥିବା ଜଣାପଡ଼ିଥିଲା । ଆଜି ଗୋଟିଏ ଦିନରେ ରାଜ୍ୟରେ ୩୪ ଜଣ ସଂକ୍ରମିତଙ୍କୁ ଠାବ କରାଗଲାଣି ଓ ଏମାନଙ୍କ ମଧ୍ୟରେ ଅଧିକାଂଶ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି ।ଆଜି ମଧ୍ୟରାତ୍ରି ସୁଦ୍ଧା ଗୁଜରାଟର ବିଭିନ୍ନ ଷ୍ଟେସନରୁ ଛାଡ଼ୁଥିବା ୩୪ଟି ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସ ମଧ୍ୟରୁ ଓଡ଼ିଶା ଅଭିମୁଖେ ୫ଟି ଟ୍ରେନ୍ ଛାଡ଼ିବ ବୋଲି ସୂଚନା ମିଳିଛି । ଏହି ୫ ଟ୍ରେନରେ ପ୍ରାୟ ୬ ହଜାର ପ୍ରବାସୀ ଓଡ଼ିଶା ଆସୁଛନ୍ତି । ଆଜି ଆସୁଥିବା ୫ଟି ଟ୍ରେନକୁ ମିଶାଇ ଓଡ଼ିଶା ଅଭିମୁଖେ ମୋଟ ୧୩ଟି ଟ୍ରେନ୍ ଆସିଲାଣି । ବିଶେଷ ଭାବରେ ସୁରତର ଲୁଗାକଳ ଓ ହୀରା କ୍ଲଷ୍ଟରରୁ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଥିବା ସୂଚନା ମିଳିଛି ।

ଆଜି ସୁରତ୍ ଛାଡ଼ିବ ୩୪ଟି ଟ୍ରେନ୍; ଉତ୍ତରପ୍ରଦେଶ ଅଭିମୁଖେ ସର୍ବାଧିକ ୨୦ଟି, ଓଡ଼ିଶାକୁ ୫ଟି 

ଆଜିର ୩୪ଟି ଟ୍ରେନକୁ ମିଶାଇ ଗୁଜରାଟରୁ ବର୍ତମାନ ସୁଦ୍ଧା ୧୦୧ ଶ୍ରମିକ ସ୍ପେସାଲ ଟ୍ରେନ୍ ବିଭିନ୍ନ ରାଜ୍ୟ ଅଭିମୁଖେ ଯାତ୍ରା କରିଛି । ଏହି ଟ୍ରେନଗୁଡ଼ିକରେ ପ୍ରାୟ ୧.୨ ଲକ୍ଷ ପ୍ରବାସୀ ନିଜ ରାଜ୍ୟକୁ ଫେରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଅଶ୍ବିନୀ କୁମାରଙ୍କ ସୂଚନା ଅନୁସାରେ ଉତ୍ତରପ୍ରଦେଶକୁ ୨୦, ଓଡ଼ିଶାକୁ ୫, ବିହାରକୁ ୪, ଝାଡ଼ଖଣ୍ଡକୁ ୨, ମଧ୍ୟପ୍ରଦେଶକୁ ୨ ଓ ଛତିଶଗଡ଼କୁ ଗୋଟିଏ ଟ୍ରେନ୍ ଆଜି ଛାଡ଼ିବାକୁ ନିଷ୍ପତ୍ତି ହୋଇଛି ।

ଏହି ଟ୍ରେନଗୁଡ଼ିକ ମଧ୍ୟରୁ ୧୨ଟି ଟ୍ରେନ୍ ସୁରତରୁ ଛାଡ଼ିବ । ୧୨ଟି ଟ୍ରେନ୍ ଅହମ୍ମଦାବାଦରୁ (ସାବରମତୀ ୬, ଭିରାମଗାମ ୬), ମୋର୍ବିରୁ ୩, ଜାମନଗରରୁ ୨ଟି ଟ୍ରେନ୍ ଆସିବ । ଏହାବ୍ୟତୀତ ଜୁନାଗଡ଼, ଗୋଧ୍ରା, ପଲାନପୁର, ମେହସାନାରୁ ମଧ୍ୟ ଶ୍ରମିକଙ୍କୁ ନେଇ କିଛି ଟ୍ରେନ୍ ବାହାରିବ । ଗତ ୬ ଦିନ ମଧ୍ୟରେ ଗୁଜରାଟରୁ ୬୭ଟି ଟ୍ରେନ୍ ବିଭିନ୍ନ ରାଜ୍ୟକୁ ଯାଇଛି ଏବଂ ଏଥିରେ ୮୦୪୦୦ ଶ୍ରମିକ ନିଜ ରାଜ୍ୟକୁ ଫେରିଛନ୍ତି ।

Leave a comment

Your email address will not be published. Required fields are marked *