#Uncategorized

ଓଡିଶା ଗତବର୍ଷ ତୁଳନାରେ ବଢ଼ିଛି ରପ୍ତାନୀ, ନଭେମ୍ବର ସୁଦ୍ଧା ୫୫ ପ୍ରତିଶତ ବୃଦ୍ଧି: ମୁଖ୍ୟମନ୍ତ୍ରୀ

ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ ସେରମନିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- କୌଣସି ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିରେ ରପ୍ତାନୀର ବଡ଼ ଭୂମିକା ରହିଛି । ଅନ୍ତର୍ଜାତୀୟ ବ୍ୟାପାର ଓ ବାଣିଜ୍ୟରେ ଓଡ଼ିଶାର ଭଲ ଇତିହାସ ରହିଛି । କଳିଙ୍ଗର ‘ସାଧବ ପୁଅ’ ଅନ୍ତର୍ଜାତୀୟ ବଜାରରେ ଆମ ବାଣିଜ୍ୟକୁ ପୋତ୍ସାହିତ କରିଥିଲେ । ଯେଉଁ ଅତୀତ ଆମକୁ ପ୍ରେରଣା ଦିଏ ।

ବ୍ୟବସାୟ କରିବା, 5Tର କାର୍ଯ୍ୟକାରୀତା, ଗୁଣାତ୍ମକ ମାନ ପାଇଁ ଭିତ୍ତିଭୂମି ସାହାଯ୍ୟ ସହ ରପ୍ତାନୀକୁ ପ୍ରୋତ୍ସାହନ ଦେବା ଲାଗି ମୋ ସରକାର ଉତ୍ତମ ପରିବେଶ ସୃଷ୍ଟି ଲାଗି ଚେଷ୍ଟା କରୁଛି । ନୀତି ଆୟୋଗର ଏକ୍ସପୋର୍ଟ ପ୍ରିପାର୍ଡନେସ୍ ଇଣ୍ଡେକ୍ସ (EPI) ୨୦୨୦ ଅନୁସାରେ ଓଡ଼ିଶା ପ୍ରଥମ ୫ ରାଜ୍ୟ ମଧ୍ୟରେ ଅଛି । ଆମର ପ୍ରୟାସ ରପ୍ତାନୀ କାରବାରକୁ ବୃଦ୍ଧି କରିବାରେ ସଫଳ ହେଉଛି ।

ମହାମାରୀ କୋଭିଡ୍ ସମୟରେ ରାଜ୍ୟରେ ରପ୍ତାନୀ ବଢ଼ିଛି । ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ସୁଦ୍ଧା ରପ୍ତାନୀ ୫୫ ପ୍ରତିଶତ ଗତବର୍ଷ ତୁଳନାରେ ବଢ଼ିଥିବା ବୃଦ୍ଧି ପାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଓଡ଼ିଶା ପାଇଁ ଏକ ଭଲ ଉପଲବ୍ଧି । ଏଥିପାଇଁ ନବୀନ ରପ୍ତାନୀକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଏହି ଟ୍ରେଣ୍ଡ ଜାରି ରଖିବାକୁ ଆଶା ପ୍ରକାଶ କରିଛନ୍ତି ।

ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀ ରପ୍ତାନୀ ପ୍ରୋତ୍ସାହନ କମିଟି ଗଠନ ହୋଇଛି । ଯାହାକି ସ୍ଥାନୀୟ ସାମଗ୍ରୀର ରପ୍ତାନୀ ଉପରେ କାର୍ଯ୍ୟ କରୁଛି । ଅନେକ ସ୍ଥାନୀୟ ଏମଏସ୍ଏମ୍ଇ ସାମଗ୍ରୀର ମହତ୍ତ୍ୱ ବିଶ୍ୱ ବଜାରରେ ରହିଛି । ଆମ କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରିର ଏସଏଚଜି ମାଆମାନଙ୍କ ଦ୍ୱାରା ପ୍ରସ୍ତୁତ ଅନେକ ସାମଗ୍ରୀ ୟୁରୋପ ଓ ଆମେରିକାରେ ଆଦୃତ ହୋଇଛି ।

ସାମଗ୍ରୀର ଗୁଣବତ୍ତା ରପ୍ତାନୀ ବୃଦ୍ଧିର ମୁଖ୍ୟ କାରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ, ସାମଗ୍ରୀର ବିଶ୍ୱସ୍ତରୀୟ ମାନକୁ ଧ୍ୟାନ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ରପ୍ତାନୀ ପୁରସ୍କାର ପାଇଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ଏକାଠି ମିଶି ଓଡ଼ିଶାକୁ ଦେଶରେ ଏକ୍ସପୋର୍ଟ ହବ୍ କରିପାରିବା ବୋଲି ସେ କହିଛନ୍ତି । ବିଭିନ୍ନ ବିଭାଗରେ ମୋଟ ୨୬ ଜଣ ରପ୍ତାନୀକାରୀଙ୍କୁ ପୁରସ୍କୃତ କରାଯାଇଛି ।

Leave a comment

Your email address will not be published. Required fields are marked *