#Exclusive

କାଦୁଅ ରାସ୍ତାରେ ଫସିଗଲା ଆମ୍ୱୁଲାନ୍ସ, ଟ୍ରାକ୍ଟର ଟାଣି ଟାଣି ନେଲା

ନୟାଗଡ଼ (୦୬/୦୩/୨୦)(ବ୍ୟୁରୋ): ଜଣେ ଗର୍ଭବତୀଙ୍କୁ ଆଣିବାକୁ ଯାଇ କାଦୁଅ ରାସ୍ତାରେ ଫସିଗଲା ୧୦୨ ଆମ୍ୱୁଲାନ୍ସ। ପରେ ଟ୍ରାକ୍ଟର ସାହାଯ୍ୟରେ ଆମ୍ୱୁଲାନ୍ସକୁ ବାହାର କରାଗଲା। ପରେ ଆମ୍ୱୁଲାନ୍ସ ଗର୍ଭବତୀଙ୍କୁ ଧରି ମେଡିକାଲ୍‌ ଗଲା। ଆଜି ଏପରି ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲୀ ବ୍ଲକ ଅଞ୍ଚଳରେ ଘଟିଛି। ଆଦିବାସୀ ଅଧ୍ୟୁଷିତ ଦୁହାରା ପଞ୍ଚାୟତର ଜୁଦାଗଣ୍ଡା ଗାଁ। ଏହି ଗାଁର ସୁମତି ମଲ୍ଲିକ ଆଜି ପ୍ରସବ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଫୋନ୍‌ ପାଇ ଗାଁକୁ ଆସିଥିଲା ଆମ୍ୱୁଲାନ୍ସ। ଗାଁରେ ଆମ୍ୱୁଲାନ୍ସ ପହଞ୍ଚିବା ପରେ ହଠାତ ପ୍ରବଳ ବର୍ଷା ହୋଇଥିଲା। ଏହା ପରେ ଗର୍ଭବତୀଙ୍କୁ ଧରି ମେଡିକାଲ୍‌ ଫେରୁଥିବା ଆମ୍ୱୁଲାନ୍ସ ଅଧା ରାସ୍ତାରେ ଫସି ଯାଇଥିଲା।

ରାସ୍ତା କାଦୁଆ ହୋଇଥିବାରୁ ଆମ୍ୱୁଲାନ୍ସ ଚକା ଆଗକୁ ଗଡି ନଥିଲା। ଆମ୍ୱୁଲାନ୍ସ ଭିତରେ ଗର୍ଭବତୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରାସ୍ତା କାଦୁଅ ଯୋଗୁଁ ଆଗକୁ ଗଡ଼ି ପାରିନଥିଲା ଗାଡ଼ି। ଯାହାକୁ ନେଇ ଆମ୍ୱୁଲାନ୍ସ ଡ୍ରାଇଭର, ପରିବାର ଲୋକ ଓ ସ୍ଥାନୀୟ ଲୋକ ଚିନ୍ତାରେ ପଡ଼ି ଯାଇଥିଲେ। ପ୍ରଥମେ ଆମ୍ୱୁଲାନ୍ସକୁ ଠେଲି ଠେଲି ଆଗକୁ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ସମ୍ଭବପର ନହେବାରୁ ଆମ୍ୱୁଲାନ୍ସକୁ ଟ୍ରାକ୍ଟରରେ ଟାଣି ଆଗକୁ ନିଆଗଲା। ଆମ୍ୱୁଲାନ୍ସକୁ ଟ୍ରାକ୍ଟର ପାଖାପାଖି ୧ କିମି ରାସ୍ତା ଟାଣି ଟାଣି ନେଇଥିଲା। ତା’ପରେ ଆମ୍ୱୁଲାନ୍ସ ମେଡିକାଲ ଅଭିମୁଖେ ଯାଇଥିଲା।

ଦେଶ ସ୍ୱାଧୀନ ହେବାକୁ ୭୦ ବର୍ଷରୁ ଅଧିକ ସମୟ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ଗାଁକୁ ଖଣ୍ଡେ ଭଲ ରାସ୍ତା ନାହିଁ। ଯେଉଁଥିପାଇଁ ଯନ୍ତ୍ରଣାରେ ଛଟପଟ ହେଉଥିବା ଜନନୀକୁ ମେଡିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସ ଯାଇପାରୁନି। ଆମ୍ୱୁଲାନ୍ସକୁ ଆଣିବା ପାଇଁ ଟ୍ରାକ୍ଟରକୁ ସାହାଯ୍ୟ କରିବାକୁ ପଡ଼ୁଛି। ତାହା ପୁଣି ରାଜଧାନୀ ଭୁବନେଶ୍ୱରଠାରୁ ୧୦୦ କିମି ପରିଧି ଭିତରେ ଥିବା ନୟାଗଡ଼ ଜିଲ୍ଲାରେ। ଏଠି ଯଦି ଏମିତି ଚିତ୍ର, ତାହାହେଲେ ଦୁର୍ଗମ ଅଞ୍ଚଳରେ କେମିତି ଥିବ ଗମନାଗମନ ବ୍ୟବସ୍ଥା?

Leave a comment

Your email address will not be published. Required fields are marked *