#Breaking News

ଜଳସେବା ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର(୦୨/୦୪) : ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ ‘କର ଫାଉଣ୍ଡେସନ୍’ ଓ ‘ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ’ର ମିଳିତ ସହଯୋଗରେ ଭୁବନେଶ୍ବରର ରେଡ଼କ୍ରସ ଟ୍ରାଫିକ୍ ସମ୍ମୁଖରେ ଏକ ଜଳସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ସୂର୍ଯ୍ୟର ତାପମାତ୍ରା ବୃଦ୍ଧି ଓ ଭୂତଳ ଜଳର ସ୍ତର କମି ଯାଉଥିବାରୁ ଲୋକମାନେ ଜଳସଙ୍କଟର ସାମ୍ନା କରୁଛନ୍ତି। ତା ସହ ନିଜର ବ୍ୟତିବ୍ୟସ୍ତ ଦୈନନ୍ଦିନ କାର୍ଯ୍ୟରେ ଘରୁ ବାହାରିଲା ବେଳେ ଅନେକ ଲୋକ ସାଥ୍‌ରେ ପାଣି ବୋତଲଟିଏ ନେବାକୁ ଭୁଲିଯାଆନ୍ତି। ଏହିସବୁ କଥାକୁ ଆଖ୍ ଆଗରେ ରଖ୍ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉପରୋକ୍ତ ସଙ୍ଗଠନମାନଙ୍କ ତରଫରୁ ଆଜି ରେଡ଼କ୍ରସ୍ ଟ୍ରାଫିକ୍ ସମ୍ମୁଖରେ ଜଳସେବା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ଜଣାଶୁଣା ଅଭିନେତା ତଥା କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ କର, ସ୍ଥାନୀୟ ବିଜୟୀ କର୍ପୋରେଟର୍ ରଞ୍ଜୁଲତା ରାୟ, ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି ଛାତ୍ର ଜନତା ଦଳର ସଭାପତି ଶକ୍ତି ପ୍ରକାଶ ପତି, କର ଫାଉଣ୍ଡେସନ୍‌ର କୋଷାଧ୍ୟକ୍ଷା ଗୀତାଞ୍ଜଳି କର, ଯୁବ ସାମାଜିକ କର୍ମୀ ମୀର୍ ଅହମ୍ମଦ ଅଲ୍ଲି, ଯୁବନେତା ଅଂଶୁମାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶୁଦ୍ଧ ପାଣି ସହ ଦହି, ଆମ୍ବକସିଆ ଅଦା, କଞ୍ଚା ଲଙ୍କା, ଲୁଣ ଓ ପୋଦିନାପତ୍ରର ମିଶ୍ରିତ ପାନୀୟଟିକୁ ପାନକରି ଅନେକ ପଥଚାରୀ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ନଳିନୀକାନ୍ତ ନାୟକ, ଅଜିତ ବେହେରା, ଦୀପକ ନାୟକ, ବିନୋଦ କୁମାର ରାଉତ, ସତ୍ୟବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *