#Exclusive

ଭେଇକିଲ ପାସ୍‌ ଲଗାଇ ବାଇକରେ ମନଇଚ୍ଛା ବୁଲୁଛନ୍ତି

ଜୁନାଗଡ,୨୯।୩(ବ୍ୟୁରୋ): କୋଭିଡ-୧୯ ପାଇଁ ରାଜ୍ୟରେ ଲକ୍‌ଡାଉନ ହୋଇଛି। ଜରୁରୀକାଳୀନ ସେବା ପାଇଁ ପଞ୍ଚାୟତ ଓ ବ୍ଲକ କର୍ମଚାରୀଙ୍କୁ ଭେଇକିଲ ପାସ୍‌ ଦିଆଯାଉଛି। ଏହି ପାସ୍‌ଗୁଡିକ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ମନଇଚ୍ଛା ଦିଆଯାଉଥିବା ଅଭିଯୋଗ ହେଉଛି। ଏକାଧିକ ଲୋକ ବାଇକ ପାସ୍‌ ପାଇବା ଦ୍ୱାରା ପୋଲିସ ପ୍ରଶାସନ ମଧ୍ୟ ସେମାନଙ୍କୁ ଧରପଗଡ କରୁନାହାନ୍ତି। ଅତ୍ୟାବଶ୍ୟକ କାମରେ ଲାଗିବା ପରିବର୍ତ୍ତେ ସେମାନେ ଭେଇକିଲ ପାସ୍‌ ଲଗାଇ ବାଇକରେ ମନଇଚ୍ଛା ବୁଲୁଥିବା ଦେଖାଦେଇଛି। ସେହିପରି ସରପଞ୍ଚଙ୍କ ପରିବର୍ତ୍ତେ ତାଙ୍କ ସ୍ବାମୀଙ୍କୁ ପାସ୍‌ ଦିଆଯାଉଛି। କିନ୍ତୁ ଏହି ପାସ୍‌ରେ ସରପଞ୍ଚଙ୍କ ପ୍ରତିନିଧି ନ ଲେଖାଯାଇ ସିଧାସଳଖ ସରପଞ୍ଚ ବୋଲି ଉଲ୍ଲେଖ କରାଯାଉଛି। ଏ ସମ୍ପର୍କରେ ସ୍ଥାନୀୟ ବିଡିଓଙ୍କ ପ୍ରତିକ୍ରିୟା ଆଶ୍ଛର୍ଯ୍ୟନ୍ବିତ କରିଛି। ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ କର୍ମଚାରୀଙ୍କୁ କୋଭିଡ -୧୯ ଜରୁରୀ ସେବା ପାଇଁ ଭେଇକିଲ ପାସ୍‌ ଦିଆଯାଇଛି। ତେବେ ଏହି ପାସ୍‌ଗୁଡିକୁ ମନଇଚ୍ଛା ଚିହ୍ନା ଲୋକଙ୍କୁ ଦିଆଯାଇ ଅଭିଯୋଗ ହୋଇଛି। ଜୁନାଗଡ ବ୍ଲକ ନକଟିଗୁଡା ପଞ୍ଚାୟତ ସରପଞ୍ଚ ଯମୁନା ମେହେର ରହିଥିବାବେଳେ ତାଙ୍କ ସ୍ବାମୀ ପ୍ରଭାସ ଚନ୍ଦ୍ର ମେହେରଙ୍କୁ ସରପଞ୍ଚ ବୋଲି ଭାଇକିଲ ପାସ୍‌ରେ ଉଲ୍ଲେଖ କରାଯାଇଛି । ଏ ନେଇ ବିଡିଓ ମାରାଣ୍ଡିଙ୍କୁ ପଚାରିବାରୁ କଥାକୁ ଅତି ହାଲୁକାର ସହ ନେଇ ଅସୁବିଧା କଣ ହେଲା ବୋଲି ଓଲଟି ପ୍ରଶ୍ନ କରିଥିଲେ। ଏ ସମ୍ପର୍କରେ ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏପରି ହେବା କଥା ନୁହେଁ। ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଭେଇକିଲ ପାସ୍‌ରେ ସରପଞ୍ଚଙ୍କୁ ସ୍ବାମୀଙ୍କୁ ସରପଞ୍ଚବୋଲି ଉଲ୍ଲେଖ କରାଯାଇଛି।

Leave a comment

Your email address will not be published. Required fields are marked *