#Uncategorized

ଅଭିଭାବକ ସଂଘର ଅସନ୍ତୋଷ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି ଘରୋଇ ସ୍କୁଲ୍

ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ସ୍କୁଲ । କୋର୍ଟ ନିର୍ଦ୍ଦେଶକୁ ବେଖାତିର୍ କରି ମନମାନୀ ଚଳାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମରୀ ପାଇଁ ସ୍କୁଲ ଫି ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ହେଲେ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ରେ ଥିବା ଅଧିକାଂଶ ଘରୋଇ ସ୍କୁଲ ଏହାକୁ ବେଖାତିର କରୁଛନ୍ତି ।

ସେହିପରି ସରକାରଙ୍କୁ ବହି ତାଲିକା ଦେବା ପାଇଁ ସମସ୍ତ ଘରୋଇ ସ୍କୁଲକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତାହା ମଧ୍ୟ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ । ତେଣୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓଡିଶା ଅଭିଭାବକ ମହାସଂଘ । ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ ଫି’ ଓ ଅନ୍ୟାନ୍ୟ ଫି’ ଛାଡ କରିବାକୁ ଦାବି କରିଛନ୍ତି । ଏଥିସହିତ ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ଗରିବ ଓ ଅନଗ୍ରସର ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବାକୁ ଦାବି ରଖିଛନ୍ତି ।

ପୂର୍ବରୁ ଘରୋଇ ସ୍କୁଲ ଫି ଛାଡ଼ ଦାବିରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ ଅଭିଭାବକ ସଂଘ । ମନ୍ତ୍ରୀଙ୍କ ଘର ଆଗରେ ହୋ-ହଲ୍ଲା କରିଥିଲେ । ଏକ ଅଭିନବ ଉପାୟରେ ଘଣ୍ଟ ବାଡ଼େଇ, ହୁଳହୁଳି ପକାଇ ପ୍ରତିବାଦ ଜଣାଇଥିଲେ ଅଭିଭାବକମାନେ । ଘରୋଇ ସ୍କୁଲ ଗୁଡ଼ିକ ବେଆଇନ୍‌ ଭାବେ ମନଇଚ୍ଛା ଫି ଆଦାୟ କରୁଛନ୍ତି । ନିୟମ ଅନୁଯାୟୀ ଯେତିକି ସେବାକୁ ସେତିକି ଫି ନେବାକଥା । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଅଧିକ ଫି ନେଉଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Leave a comment

Your email address will not be published. Required fields are marked *