#Blog #Breaking News #District #Headlines #Health

କାଠଯୋଡି ନଦୀ ପାଣି ହେଉଛି ବିଷାକ୍ତ

 


ବାରଙ୍ଗ (କୃଷ୍ଣ ଚନ୍ଦ୍ର ସ୍ବାଇଁ)କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ଯେକୌଣସି ବ୍ୟକ୍ତି ହୁଅନ୍ତୁ କିମ୍ବା ସଂସ୍ଥା ବର୍ଯ୍ୟଜଳକୁ ସିଧାସଳଖ ନଦୀ, ନାଳ କିମ୍ବା ପୋଖରୀକୁ ଛାଡ଼ି ପାରିବେନାହିଁ। ହେଲେ ବାରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳୁଛି ଏହାର ଭିନ୍ନ ଦୃଶ୍ୟ। ଏହି ଅଞ୍ଚଳର ଏକ ପ୍ରତିଷ୍ଠିତ ସଂସ୍ଥା ଏହାକୁ ବେଖାତିର କରି ଖୋଲାଖୋଲି ନିୟମ ଉଲଂଘନ କରି ନିଜର ବର୍ଯ୍ୟଜଳକୁ ନଦୀକୁ ଛାଡ଼ୁଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅରିଲୋ ସ୍ଥିତ ଓମଫେଡ ପ୍ଲାଣ୍ଟରେ। ଉନ୍ନତ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ଦୁଗ୍ଧ ଉତ୍ପାଦନ ସଂସ୍ଥା (ଓମଫେଡ) ନିଜର ବେନିୟମ କାର୍ଯ୍ୟ ପାଇଁ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହେବା ସହିତ ଅଭିଯୋଗ ହୋଇଛି। ସୂଚନା ମୁତାବକ ବାରଙ୍ଗ ଅରିଲୋ ଠାରେ ନିର୍ମାଣ ହୋଇଥିବା ଓମଫେଡ ପ୍ଲାଣ୍ଟରୁ ନିର୍ଗତ ବର୍ଯ୍ୟଜଳକୁ ଏହାର କର୍ତ୍ତୃପକ୍ଷ ସିଧାସଳଖ କାଠଯୋଡ଼ି ନଦୀ ବନ୍ଧରେ ଛାଡ଼ିବା

ଫଳରେ ନଦୀଜଳ ପ୍ରଦୂଷିତ ହେଉଛି। ନରାଜ ବ୍ୟାରେଜ ଠାରୁ ଅରିଲୋ ଗଡ଼ା ପର୍ଯ୍ୟନ୍ତ ନଦୀବନ୍ଧ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖାଯାଇଛି। ଏଥିସହ ଓମଫେଡ କର୍ତ୍ତୃପକ୍ଷ ବେନିୟମ ଭାବେ ପାଇପ ଯୋଗେ ନଦୀବନ୍ଧରେ ଏହି ବର୍ଯ୍ୟଜଳକୁ ଛାଡ଼ିବା ଦ୍ଵାରା ନଦୀବନ୍ଧ ଦୁର୍ବଳ ହେବା ସହ ପଥର ପ୍ୟାକିଂ ମଧ୍ୟ ଧୋଇ ହୋଇ କିଛି କିଛି ସ୍ଥାନରେ ଘାଇ ସୃଷ୍ଟି ହେଲାଣି। ଯାହା ବର୍ଷା ଦିନରେ ବଡ଼ ଧରଣର ବିପଦକୁ ଆମନ୍ତ୍ରଣ କରୁଛି। ଏହି ବର୍ଯ୍ୟଜଳ ସିଧାସଳଖ ନଦୀରେ ମିଶିବା ଦ୍ଵାରା ନଦୀଜଳ ପ୍ରଦୂଷିତ ହେବା ସହ ଦୁର୍ଗନ୍ଧ ବାହାରୁଥିବା ଫଳରେ ନଦୀରେ ଗାଧୋଉଥିବା ଲୋକଙ୍କ

ବିଭିନ୍ନ ଚର୍ମ ସମସ୍ୟା ମଧ୍ୟ ଦେଖାଯାଉଛି। ଏହି ବର୍ଯ୍ୟଜଳ ଜଳଚର ପ୍ରାଣୀଙ୍କ ପାଇଁ ମଧ୍ୟ ବହୁ ବିପଦ ମାତ୍ରାରେ ବିପଦ ସାଜୁଛି। ସେହିପରି ଷଣ୍ଢପୁର ମେଡ଼ିକାଲ ଛକ ଠାରୁ ନରାଜ ବ୍ୟାରେଜ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଯାଇଥିବା ଏହି ବର୍ଯ୍ୟଜଳ ପାଇପ ଫାଟି ରାସ୍ତା ଉପରେ ଅନବରତ ବୋହିଚାଲିଛି। ଯଦ୍ୱାରା ବୁଲା ଗାଈ ଗୋରୁ, ଜୀବଜନ୍ତୁ ଏହି ବର୍ଯ୍ୟଜଳକୁ ପିଇବା ଫଳରେ ବିଭିନ୍ନ ରୋଗରେ ପଡ଼ିବା ସହ ମୃତ୍ୟୁ ମୁଖରେ ମଧ୍ୟ ପଡ଼ୁଛନ୍ତି। ଯାହା ପରିବେଶ ସୁରକ୍ଷା ନିୟମର ଖୋଲାଖୋଲି ଉଲଂଘନ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଏନେଇ ଓମଫେଡର ସାଧାରଣ ନିବନ୍ଧକ ଅଜୟ ବାବୁରାମ ଦହିୱାଲାଙ୍କୁ ପଚାରିବାରୁ ସେ ଏହା ପ୍ରତି ଦୃଷ୍ଟିଦେବେ ବୋଲି କହିଥିଲେ।

Leave a comment

Your email address will not be published. Required fields are marked *