#Exclusive

ଶ୍ରୀଜିତଙ୍କ ପରେ ଚର୍ଚ୍ଚାରେ ଭିକ୍ଷାବୃତ୍ତିକୁ ଆପଣାଇଥିବା ଇଂରାଜୀ ଶିକ୍ଷୟିତ୍ରୀ, ପୁଅ ନିଖୋଜ ହେବା ପରେ ବଡ଼ଦାଣ୍ଡକୁ ଚାଲି ଆସିଥିଲେ ଲକ୍ଷ୍ମୀପ୍ରିୟା

ପୁରୀ: ବେଳେବେଳେ ମଣିଷ ଜୀବନରେ ଏଭଳି ସମୟ ଆସିଥାଏ ଯେତେବେଳେ ସେ ଆଗକୁ କ’ଣ କରିବ ନକରିବ, ସେ ବିଷୟରେ ଭାବିବାର କ୍ଷମତା ହରାଇ ବସିଥାଏ। ଠିକ୍ ସେଭଳି କିଛି ଘଟିଛି  ପୁରୀ ବଡ଼ ଦାଣ୍ଡରେ ଭିକ୍ଷା ମାଗୁଥିବା ଉଚ୍ଚଶିକ୍ଷିତ ଶିକ୍ଷୟିତ୍ରୀ ମମତାଙ୍କ ସହ। ସରକାରୀ ବାଳିକା ହାଇସ୍କୁଲରେ ୫ବର୍ଷ ଶିକ୍ଷକତା କରିବା ସହ ବିଦେଶରେ ରହି ୧୦ବର୍ଷ ଶିକ୍ଷକତା କରିଥିଲେ ଲକ୍ଷ୍ମୀପ୍ରିୟା। ପିଲାମାନଙ୍କୁ ଇଂରାଜୀ, ଗଣିତ, ଭୂଗୋଳ ଇତ୍ୟାଦି ପାଠ ପଢ଼ାଉଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏମିତି ଯେ, ଯେଉଁ ହାତ ଦିନେ ପିଲମାନଙ୍କୁ ପାଠ ପଢ଼ାଇ ଆଗକୁ ବଢ଼ିବାର ପ୍ରେରଣା ଦେଉଥିଲା ଆଜି ସେହି ହାତ ପତେଇ ଅନ୍ୟ ଆଗରେ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି ଲକ୍ଷ୍ମୀପ୍ରିୟା। ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହେବା ସହ ପୁଅ ଘର ଛାଡ଼ି ଚାଲିଯିବା ପରେ ମାନସିକ ସନ୍ତୁଳନ ହରାଇ ବସିଥିଲେ ଲକ୍ଷ୍ମୀପ୍ରିୟା। ଜୀବନରେ ଗୁରୁତ୍ବ ରଖୁଥିବା ଦୁଇଜଣଙ୍କୁ ହରାଇବା ପରେ  ଆଜି ସେ ବଡ଼ଦାଣ୍ଡର ଭିକାରି ପାଲଟିଛନ୍ତି।

ପୁରୀଣ ଜଣେ ପୂଜାରୀଙ୍କ କହିବା ମୁତାବକ, ମୁଁ ଲକ୍ଷ୍ମୀପ୍ରିୟାଙ୍କୁ ପ୍ରାୟ ୧୦ବର୍ଷ ହେଲାଣି ଦେଖୁଛି। ସେ  ମନ୍ଦିର ବାହାରେ ବସି ଭିକ୍ଷା ମାଗନ୍ତି। ମନ୍ଦିରକୁ ଲୋକ ନ ଆସିଲେ ସେ ପାଖ ଶନି ମନ୍ଦିର ଏବଂ ସାଇବାବାଙ୍କ ମନ୍ଦିରକୁ ଯାଇ ଭିକ୍ଷା ମାଗିଥାନ୍ତି। ମୁଁ ତାଙ୍କୁ ମୋ ପାଖରେ ରଖିବାକୁ କହିଥିଲେ ମଧ୍ୟ ସେ ଜଗନ୍ନାଥ ମୋର ଭରସା ବୋଲି କହି ମୋତେ ମନା କରି ଦେଇଥିଲେ। ଯେତିକି ଦିନ ବଞ୍ଚିବି ମୁଁ ଭିକ୍ଷା ମାଗି ଏହି ବଡ଼ ଦାଣ୍ଡରେ ପଡ଼ି ରହିବି ବୋଲି କହିଥିଲେ।

ପୂଜାରୀ କହନ୍ତି, ମୁଁ ତାଙ୍କୁ ତାଙ୍କର ଏଭଳି ଅବସ୍ଥା ବିଷୟରେ ପଚାରିଥିଲି। ‌ସେ ମୋତେ କହିଥିଲେ କିି, ମୋ ସ୍ବାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲା। ମୋର ଗୋଟେ ପୁଅ ଥିଲା, ଯିଏ ବହୁତ ପାଠ ପଢ଼ିଥିଲା। ତାକୁ ମୁଁ ବଡ଼ ମଣିଷ କରିବି ବୋଲି ଭାବିଥିଲେ ମଧ୍ୟ ସ୍ବାମୀଙ୍କ ମୃତ୍ୟୁ ପରେ ସେ କୁଆଡ଼େ ଚାଲି ଗଲା ସେ ବିଷୟରେ ମୁଁ ଏ ପର୍ଯ୍ୟନ୍ତ ଜାଣିନାହିଁ ବୋଲି କହିଥିଲେ। ହୁଏତ ତାଙ୍କର ପୁଅ ପାଇଁ ତାଙ୍କର ମାନସିକସ୍ତରରେ ଏଭଳି ପରିବର୍ତ୍ତନ ଆସିଛି।

ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କର ଏଭଳି ଅବସ୍ଥା ବିଷୟରେ ପଚରାଯିବା ପରେ ସେ କହିଥିଲେ, ମୋର ଘର ସାକ୍ଷୀଗୋପାଳରେ। ସଂପର୍କୀୟମାନେ ଚକ୍ରାନ୍ତ କରି ମୋତେ ଅନ୍ଧ କରିବା ସହ ମୋର ଜମି ଉପରେ ଅକ୍ତିଆର କରିଥିଲେ। ଯାହା ପରେ ଅନ୍ୟ ବାଟ ନ ପାଇ ମୁଁ ସାକ୍ଷୀଗୋପାଳରୁ ପୁରୀକୁ ଚାଲି ଆସିଥିଲି।

ଅନ୍ୟପକ୍ଷରେ ତାଙ୍କର ସହକର୍ମୀ ଥିବା ଜନୈକା ଶିକ୍ଷୟିତ୍ରୀ କହନ୍ତି, ‘ ଲକ୍ଷ୍ମୀପ୍ରିୟା ଖୁବ୍ ଦୃଢ଼ମନା ଥିଲେ। ସେ ପରିବାର ଲାଗି ଅଧିକ ପଇସା ରୋଜଗାର କରିବାକୁ ଇଥିଓପିଆ ଯାଇ ଶିକ୍ଷକତା କରିଥିଲେ। ମାତ୍ର ସେଠାରେ ତାଙ୍କ ପୁଅର ଦେହ ଖରାପ ହେବାରୁ ଓଡ଼ିଶା ଫେରି ଆସିଥିଲେ। ଚଳିବା ଲାଗି ସେ କିଛିଦିନ ଘର ଘରବୁଲି ଶାଢ଼ି ବି ବିକ୍ରି କରୁଥିଲେ। ମାତ୍ର ପୁଅ କେଉଁଆଡେ ଚାଲିଯିବା ପରେ ସେ ପାଗଳୀପ୍ରାୟ ହୋଇ ପଡ଼ିଥିଲେ। ‌ଏହାପରେ ପରିବାର ଲୋକ ତାଙ୍କୁ ହତାଦର କରିବାରୁ ସେ ବଡ଼ଦାଣ୍ଡକୁ ଚାଲି ଆସିଥିଲେ।

Leave a comment

Your email address will not be published. Required fields are marked *