#Exclusive

ବିଷାକ୍ତ ଚିକେନ ଖାଇ ତିନି ଭଉଣୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡ଼ି ଗାଁର ତଳସାହିରେ ଘଟିଥିବା ତିନି ଭଉଣୀଙ୍କ ମୃତ୍ୟୁକୁ ରହସ୍ୟଜନକ ବୋଲି କୁହାଯାଉଛି। ୨୪ ଘଣ୍ଟା ମଧ୍ୟରେ ଟିକିନା ରେଡ୍ଡୀ (୬), ସୋମା ରେଡ୍ଡୀ (୯) ଓ ବର୍ଷା ରେଡ୍ଡୀ (୧୨)ଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମୃତ୍ୟୁକୁ ନେଇ ଲୋକେ ବିଭିନ୍ନ କଥା କହୁଛନ୍ତି। କିଛି ଲୋକ କହୁଛନ୍ତି, ବିଷ ପ୍ରକ୍ରିୟା ଯୋଗୁଁ ତିନି ବାଳିକାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଗାଁର କିଛି ଲୋକଙ୍କ ମତରେ ଘଟଣା ଦିନ ସେମାନେ ଚିକେନ୍‌ ଖାଇଥିବାରୁ ଏଭଳି ଅପମୃତ୍ୟୁର ଶିକାର ହୋଇଛନ୍ତି।ରିପୋର୍ଟ ଅନୁସାରେ ପାଟପୁର ଥାନା ଅନ୍ତର୍ଗତ ମାଟିଆବୁରେଇ ଗାଁରେ ବି. ତୁରୁବୁଡ଼ି ଗାଁର କସ୍ତୁରୀ ରେଡ୍ଡୀ ନିଜର ଦୁଇ ଝିଅକୁ ବିବାହ ଦେଇଥିଲେ। କସ୍ତୁରୀଙ୍କ ଦୁଇ ଜ୍ୱାଇଁ ଦିନ ମଜୁରିଆ ଥିବାରୁ ସେମାନେ ଗାଁରେ ନ ରହି ତୁରୁବୁଡ଼ି ଗାଁରେ ଏକ ଭଡ଼ାଘରେ ରହୁଥିଲେ। କସ୍ତୁରୀଙ୍କ ବଡ଼ ଝିଅଙ୍କ ଦୁଇ ଝିଅ ହେଲେ ବର୍ଷା ଓ ସୋମା। ସାନ ଝିଅଙ୍କ ଝିଅର ନାମ ଟିକିନା। ତିନି ଭଉଣୀ ଆଈଙ୍କ ପାଖରେ ରହି ପାଠ ପଢୁଥିଲେ। ଡିସେମ୍ବର ୨୬ ତାରିଖ ରାତି ଆଈ କସ୍ତୁରୀ ଓ ତିନି ଭଉଣୀ ଖାଇ ସାରି ଶୋଇଥିଲେ। ରାତି ପାହିଲା ବେଳକୁ ଟିକିନା ଗୁରୁତର ହେବାରୁ ତାକୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଉଥିଲା। କିନ୍ତୁ ବାଟରେ ଟିକିନାର ମୃତ୍ୟୁ ହେବା ପରେ ତା’ର ଶବ ସତ୍କାର କରାଯାଇଥିଲା। ଏହା ଥିଲା ସକାଳ ପ୍ରାୟ ୯ଟାର ଘଟଣା। ଟିକିନା ମୃତ୍ୟୁର ଘଣ୍ଟାଏ ପରେ ସୋମାର ମୃତ୍ୟୁ ଘଟିଥିଲା। ଏହି ସମୟରେ ବର୍ଷାର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ପୂର୍ବାହ୍ନରେ ସେ ମଧ୍ୟ ଜୀବନ ହାରିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ତିନି ଭଉଣୀଙ୍କ  ଏଭଳି ଅଭାବନୀୟ ମୃତ୍ୟୁ ଘଟଣା ବି.ତୁରୁବୁଡ଼ି ଗାଁରେ ଶୋକାକୂଳ ପରିସ୍ଥିତି  ସୃଷ୍ଟି କରିଛି।

Leave a comment

Your email address will not be published. Required fields are marked *