#Breaking News

କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା,ଗାଁ ଠୁ ସହର ସବୁଠି ଭକ୍ତିଭାବ ପରିବେଶ



ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା l ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଦଣ୍ଡଯାତ୍ରା ହୋଇପାରିନଥିଲା । ଦୁଇବର୍ଷ ପରେ ଦଣ୍ଡଯାତ୍ରା ହେଉଥିବାରୁ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସମସ୍ତଙ୍କ ମନରେ ବେଶ ଖୁସି ପରିଲକ୍ଷିତ ହେଉଛି l କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଏପ୍ରିଲ ଏକ ତାରିଖ ରୁ ଆରମ୍ଭ ହୋଇଛି l ଏହା ତେରଦିନ ବ୍ୟାପି ଚାଲିବ । ମେରୁ ଯାତ୍ରା ପରେ ପଣା ସଂକ୍ରାନ୍ତି ଦିନ ଏହି ଯାତ୍ରା ଶେଷହେବ l ଗତ ଶୁକ୍ରବାର ଏପ୍ରିଲ୍ ୧ତାରିଖ ରାତିରେ ଗାଁ ପୋଖରୀରେ ମାନସିକଧାରୀ ଦଣ୍ଡୁଆ ତେର ଭୋକତା ନିର୍ଜଳା ଉପବାସ ରହିଥିଲେ l

ପାଟଭୋକତା ସମେତ ଅନ୍ୟାନ୍ୟ ଭକ୍ତଗଣ ବ୍ରହ୍ମଅଗ୍ନି ନିମନ୍ତେ ଦକ୍ଷିଣକାଳୀଙ୍କୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରିଥିଲେ l ମାଆ ରାତି ଆଠଟା ପନ୍ଦର ମିନିଟ୍ ସମୟରେ ଆବିର୍ଭାବ ହୋଇଥିଲେ l ପାଟଢୋଲ ପାଣି ଢୋଲ ଘଣ୍ଟ କାହାଳି ମହୁରୀ ଓ ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା l ଦଣ୍ଡବିଧାନ ଅନୁଯାୟୀ ଦଣ୍ଡନୃତ୍ୟ ଥଳ ସକାଳୁ କାମନାକାରୀଙ୍କ ଘରକୁଯାଇ ବରଣ ହୋଇ ଦଣ୍ଡନୃତ୍ୟ କରିଥାନ୍ତି l ଦିନ ଦ୍ବିପ୍ରହରରେ ଧୂଳିଦଣ୍ଡ ସନ୍ଧ୍ୟାରେ ପାଣିଦଣ୍ଡ ଏବଂ ରାତ୍ରରେ ଝୁଣାଦଣ୍ଡ ବା ଅଗ୍ନିଦଣ୍ଡ ଅନୁଷ୍ଠିତ ହୁଏ l ପରଭା ନୃତ୍ୟ ପରେ ହର ପାର୍ବତୀ ବିଜେକରି ନୃତ୍ୟ ଓ ଗୀତ ମାଧ୍ୟମରେ ଦଣ୍ଡଚରିତ୍ର ଓ ବୃତ୍ତାନ୍ତ ବର୍ଣ୍ଣନା କରିଥାନ୍ତି l ଦଣ୍ଡନୃତ୍ୟ ରେ ଚଢ଼େୟା – ଚଢ଼େୟାଣୀ ସୌରା – ସୌରୁଣୀ ଯୋଗୀ – ଯୋଗିଆଣୀ ବୀଣାକାର – କାରୁଆଣୀଙ୍କ ନୃତ୍ୟ ମନମୁଗ୍ଧ କରେ ଦେଖଣାହାରୀଙ୍କୁ l ମାନସିକଧାରୀ ଦଣ୍ଡୁଆ ଗୋଟିଏ ଓଳି ଉପବାସ ରହି ଗୋଟିଏ ଓଳି ଅରୁଆ ହବିଷଅର୍ଣ୍ଣ ସେବନ କରିଥାନ୍ତି l ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରି ଦଣ୍ଡୁଆଙ୍କ ଶୋଭାଯାତ୍ରା ବାଲିଗୁଡା ସହର ସମେତ ପୁରପଲ୍ଲୀରେ ଶୋଭାବର୍ଦ୍ଧନ କରୁଛି l ସନ୍ଧ୍ୟା ସମୟରେ ମା ଗ୍ରାମ ପରିକ୍ରମା କରନ୍ତି । ସେହି ସମୟରେ ଶ୍ରଦ୍ଧାଳୁମାନେ ନିଜ ଘର ଆଗରେ ଭୋଗ ବାଢ଼ିବା ସହ ମା’ଙ୍କ ଦର୍ଶନ କରି ଭକ୍ତିକୃପା ଲାଭ କରନ୍ତି । ଦୀର୍ଘ ଦୁଇବର୍ଷ ପରେ ତାଙ୍କୁ ନିଜ ଗାଁ,ସାହି ଓ ଘର ପାଖରେ ଦର୍ଶନ କରିବାର ସୁଯୋଗ ପାଇ ଭାବ ବିହ୍ୱଳ ହୋଇ ପଡ଼ୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।

Leave a comment

Your email address will not be published. Required fields are marked *