#Breaking News #Uncategorized

ବାଲିଗୁଡା: ଫେଲ୍ ମାରିଲା ବନ ବିଭାଗର ବୃକ୍ଷ ପ୍ରତିରୋପଣ ଯୋଜନା


ବାଲିଗୁଡ଼ା,୨୫/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କଥାରେ ଅଛି ବୃକ୍ଷ ହିଁ ଜୀବନ । ଗଛ ନରହିଲେ ସୃଷ୍ଟିରେ ବଂଚିବା ଅସମ୍ଭବ । କିନ୍ତୁ ରାସ୍ତା ସମ୍ପ୍ରସାରଣ ନାମରେ ଲକ୍ଷଲକ୍ଷ ମୂଲ୍ୟବାନ୍ ଗଛ କଟା ଚାଲିଛି । ଫଳରେ ପ୍ରକୃତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ୁଛି । ଏଭଳି ପରିସ୍ଥିତିରେ ଗଛ ନକାଟି ଗଛକୁ କିଭଳି ବଂଚାଯାଇପାରିବ ସେନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିକାରି ବିଶ୍ୱନାଥ ନୀଳନବର ଏକ ପଦକ୍ଷେପ ନେଇଥିଲେ । ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ରାଜ୍ୟ ବାହାରୁ ଶ୍ରମିକ ଓ ଯନ୍ତ୍ରାଂଶ ଅଣି ବୃକ୍ଷ ପ୍ରତିରୋପଣ କାମ ମଧ୍ୟ ଆରମ୍ଭ କରିଥିଲେ । ବାଲିଗୁଡ଼ା ବନଖଣ୍ଡ ଅଧିକାରୀଙ୍କ ଏଭଳି ପ୍ରୟାସକୁ ପ୍ରକୃତିପ୍ରେମିମାନେ ବେସ୍ ପ୍ରଶଂସା ମଧ୍ୟ କରିଥିଲେ ସେହି ସମୟରେ । କିନ୍ତୁ କିଏ ଯାଣିଥିଲା ଯେ,ଏହି ଯୋଜନା କେତେ ଫଳପ୍ରଦ ହେବ…? ଜାତୀୟ ରାଜପଥ ସଂପ୍ରସାରଣ ନାମରେ ଗତ ୨୦୧୯ ମସିହାରେ ବାଲିଗୁଡ଼ା ଅଞ୍ଚଳର ରାସ୍ତାକଡ଼ରେ ଥିବା ୨୬୪୯ଟି ଗଛ କଟାଯିବାର ନିଷ୍ପତି ହୋଇଥିଲା । ସେଥିମଧ୍ୟରୁ ସଂଭାବ୍ୟ ଏକ ହଜାର ମୂଲ୍ୟବାନ ଗଛକୁ ପ୍ରତିରୋପଣ କରିବାକୁ ନିଷ୍ପତି ନେଲେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଏବଂ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବୃକ୍ଷ ପ୍ରତିରୋପଣ କାର୍ଯ୍ୟ ମଧ୍ୟ କଲେ । ହେଲେ ବର୍ତମାନ ସମୟରେ ପ୍ରତିରୋପଣ କରାଯାଇଥିବା ଗଛ ମଧ୍ୟରୁ ଗୋଟିଏ ମଧ୍ୟ ଗଛ ଜୀବିତ ଦେଖାଯାଉନାହିଁ । ଏଠି ପ୍ରଶ୍ନ ଉଠୁଛି ଗଛ ବଂଚାଇବା ନାମରେ ଯେଉଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କାରଗଲା ତାହା କଣ ହେଲା । ନା ଗଛ ବଂଚିଲା ନା ସରକାର ଯୋଗାଇଥିବା ଟଙ୍କାର ମୂଲ୍ୟ ରହିଲା । ବନବିଭାଗ ଅଧିକାରୀଙ୍କ ଯୋଜନା ଫେଲ୍ ମାରିବାସହ ଏହି ଯୋଜନାରେ ସରକାରଙ୍କ ଲକ୍ଷାଧିକ ଟଙ୍କାର ମୂଲ୍ୟ ରହିଲା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ସରକାର ବନ ବିଭାଗର ଉନ୍ନତି ଓ ବନିକାକେଣ ପାଇଁ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚକରୁଥିବାବେଳେ ଉନ୍ନତି ମୂଳକ କାମନକରି ବନଖଣ୍ଡ ଅଧିକାରୀ ତଳିଆ କର୍ମଚାରୀଙ୍କୁ ଧରି କିଛି ଭିତିରିଆ ସଲାସୁତରାରେ ବ୍ୟସ୍ତ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳର ସୁରକ୍ଷାକୁ ଦୃଷ୍ଟିଦେଇ ସରକାରଙ୍କ ଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ହୋପଡ଼ିଛି ।

Leave a comment

Your email address will not be published. Required fields are marked *