#ରାଜ୍ୟ ଖବର

ଘରକୁ ଫେରିଲେ ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ବିଟେକ ଡିଗ୍ରିଧାରୀ ଭିକ୍ଷୁକ

ପୁରୀ: ପୁରୀ ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ବିଟେକ ଡିଗ୍ରିଧାରୀ ଭିକ୍ଷୁକ ଘରକୁ ଫେରିଛନ୍ତି। ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ଗିରିଜା ଶଙ୍କର ମିଶ୍ରଙ୍କୁ ନିଜ ଘରକୁ ଫେରାଇ ନେଇଛନ୍ତି ପରିବାର ଲୋକେ। ଗତକାଲି ବଡ଼ଦାଣ୍ଡରେ ଭିକ୍ଷା ମାଗୁଥିବା ପ୍ଲାଷ୍ଟିକ ଇଞ୍ଜିନିୟରଙ୍କ କଥା ଗଣମାଧ୍ୟମ ମୁଖ୍ୟ ଖବର ପାଲଟିଥିଲା। ପୁରୀ ବଡ଼ଦାଣ୍ଡରେ ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କ ଭିକ୍ଷାବୃତ୍ତିକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଉଚ୍ଚଶିକ୍ଷିତ ହୋଇ କଣ ପାଇଁ ଭିକ୍ଷା ବୃତ୍ତି କରୁଥିଲେ ସମସ୍ତଙ୍କ ମନରେ ପ୍ରଶ୍ନବଚୀ ସୃଷ୍ଟି କରିଥିବା ବେଳେ ଏହାର ଉତ୍ତର ରଖିଥିଲେ ପାଠୁଆ ଭିକାରୀ ଗିରିଜା ଶଙ୍କର। ତାଙ୍କ କହିବା ମୁତାବକ, ତାଙ୍କ ଘର ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ହୋଇଥିବା ବେଳେ ସେ ପାଠ ପଢି ଚାକିରି ମଧ୍ୟ କରିଥିଲେ। ହେଲେ ଉପରିସ୍ଥ ଅଧୀକାରୀଙ୍କ ସହ ସାଲିସ ଜୀବନ ତାଙ୍କୁ ଭଲ ନ ଲାଗିବାରୁ ସିଧା ପୁରୀ ବଡ଼ଦାଣ୍ଡରେ ପହଞ୍ଚି ଭିକ୍ଷା ବୃତ୍ତିକୁ ଆପଣେଇ ନେଇଥିଲେ। ଗତକାଲି ଖବର ପ୍ରସାରଣ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ନେଇଛନ୍ତି।

ଉଲ୍ଲେଖଯୋଗ୍ୟ ଶୁକ୍ରବାର ଗିରିଜା ଶଙ୍କରଙ୍କ ସହ ଜଣେ ରିକ୍ସା ଚାଳକଙ୍କ ଗଣ୍ଡଗୋଳ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଗିରିଜାଶଙ୍କର ଏକ ପ୍ରତିଷ୍ଠିତ କଲେଜରୁ ବିଏସ୍ସି ପାସ୍ କରିବା ପରେ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ଏହା ପରେ ତାଙ୍କୁ ଏକ କଲେଜରେ ଅଧ୍ୟାପକ ଚାକିରି ମିଳିଥିଲା। ଚାକିରି ଚାଲିଯିବା ପରଠାରୁ ସେ ପୁରୀ ବଡ଼ଦାଣ୍ଡରେ ବସି ଭିକ୍ଷା ମାଗୁଛନ୍ତି। ଜଣେ ରିକ୍ସା ଚାଳକଙ୍କ ସହ ତାଙ୍କ ମାରପିଟ ହେବା ସମ୍ପର୍କରେ ଗିରିଜା ଶଙ୍କର ଶୁକ୍ରବାର ଟାଉନ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ତେବେ ତାଙ୍କ ଏତଲାରୁ ନୂଆ କଥା ସାମ୍ନାକୁ ଆସିଥିଲା। ଇଂରାଜୀରେ ସେ ଯେଉଁ ଏତଲାଟି ଲେଖିଥିଲେ ତାହା ଥିଲା ସଂପୂର୍ଣ୍ଣ ନିର୍ଭୁଲ ଓ ଉଚ୍ଚକୋଟୀର ଥିଲା। ତାହାକୁ ଭିତ୍ତିକରି ପୁଲିସ ତଦନ୍ତ କରିବାବେଳେ ଅଭିଯୋଗକାରୀ ବିଟେକ ଇଞ୍ଜିନିୟର ବୋଲି ଜଣାପଡ଼ିଥିଲା।

Leave a comment

Your email address will not be published. Required fields are marked *