#Exclusive

ବାବା ରାମଦେବଙ୍କ ’କରୋନିଲ୍’କୁ ବିକ୍ରି ଅନୁମତି ଦେଲା ଆୟୂଷ ମନ୍ତ୍ରଣାଳୟ

ଶେଷରେ ବାବା ରାମଦେବଙ୍କ ‘କରୋନିଲ୍’କୁ ବିକ୍ରି ନିମନ୍ତେ ଅନୁମତି ଦେଇଛି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ । ତେବେ ଏହାକୁ କରୋନା ଔଷଧ ଭାବରେ ନୁହେଁ, କେବଳ ଇମ୍ୟୁନିଟି ଅଥବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଔଷଧ ଭାବରେ ବିକ୍ରି କରାଯାଇ ପାରିବ ବୋଲି ସର୍ତ ରଖିଛି ଆୟୂଷ ମନ୍ତ୍ରଣାଳୟ । ଏହା ଫଳରେ ଗତ ଏକ ସପ୍ତାହ ଧରି ଚାଲିଥିବା ବିବାଦର ଶେଷ ଘଟିଛି ।ପ୍ରାୟ ସପ୍ତାହକ ତଳେ ବାବା ରାମଦେବ ଓ ଦିବ୍ୟ ଫାର୍ମାସୀର ମୁଖ୍ୟ ଆଚାର୍ଯ୍ୟ ବାଳକୃଷ୍ଣ ‘କରୋନିଲ’ର ବଜାର ପ୍ରବେଶ କରାଇଥିଲେ । ଏହି ସମୟରେ ‘କରୋନିଲ୍’ ଦ୍ବାରା ଏକ ସପ୍ତାହ ମଧ୍ୟରେ କରୋନାରୁ ଜଣେ ରୋଗୀ ମୁକ୍ତ ହୋଇ ପାରିବ ବୋଲି ଦାବି କରାଯାଇଥିଲା । ଅଶ୍ବଗନ୍ଧା, ଗିଲୟ ଓ ତୁଳସୀର ନିର୍ଦିଷ୍ଟ ମାତ୍ରାର ଉପଯୋଗ କରାଯାଇ ଏହି ଆୟୁର୍ବେଦ ଔଷଧ ପ୍ରସ୍ତୁତ କରାଯାଇଥିବା ଏବଂ ଏଥିରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିବା ସେତେବେଳେ ବାବା ରାମଦେବ କହିଥିଲେ ।ଏହାପରେ ଆରମ୍ଭ ହୋଇଥିଲା ବିବାଦ । ଆୟୂଷ ମନ୍ତ୍ରଣାଳୟ ଏ ସମ୍ପର୍କରେ ବାବା ରାମଦେବ ଓ ତାଙ୍କ ସଂସ୍ଥାକୁ ନୋଟିସ କରିଥିଲେ । ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ତାଙ୍କୁ ରିପୋର୍ଟ ମଗା ଯାଇଥିଲା । ଏପରିକି ବାବା ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଗିରଫ କରାଯିବା ଏବଂ ତାଙ୍କ ସଂସ୍ଥା ପତଞ୍ଜଳି ଓ ଦିବ୍ୟ ଫାର୍ମାସୀକୁ ବନ୍ଦ କରାଯିବା ନେଇ ଚର୍ଚା ଆରମ୍ଭ ହୋଇଥିଲା।  ତେବେ ଶେଷରେ ଆୟୁଷ ମନ୍ତ୍ରଣାଳୟ କରୋନିଲକୁ ବିକ୍ରି ନିମନ୍ତେ ଅନୁମତି ଦେଇଛି । ଏହାକୁ କରୋନା ଔଷଧ ନୁହେଁ ବରଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରୁଥିବା ଔଷଧ କହି ପ୍ରଚାର ପ୍ରସାର କରିପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନୁରୂପ ଭାବରେ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ ଆୟୁଷ ମନ୍ତ୍ରଣାଳୟ କରୋନିଲର ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ ବୋଲି ସ୍ପଷ୍ଟ କରିଛି ।

Leave a comment

Your email address will not be published. Required fields are marked *