#Exclusive

ସମ୍ବରରେ ଲୁଣ ପଡ଼ି ନ ଥିବା ଅଭିଯୋଗ କରି ଖାଦ୍ୟ ଫିଙ୍ଗିଦେଲେ ସଂଗରୋଧରେ ଥିବା ଶ୍ରମିକ

କଟକ: ସଂଗରୋଧ କେନ୍ଦ୍ରରେ ଥିବା ଶ୍ରମିକମାନେ ପ୍ରଶାସନ ତରଫରୁ ଦିଆଯାଇଥିବା ଖାଦ୍ୟ ଫିଙ୍ଗି ଦେଇଛନ୍ତି । ଖାଦ୍ୟ ଫିଙ୍ଗିଥିବା ଏହି ଶ୍ରମିକମାନେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି।  ଏହି ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଦିଆଯାଇଥିବା ଖାଦ୍ୟରେ ଲୁଣ ପଡ଼ି ନ ଥିଲା । ସୂଚନା ଅନୁସାରେ କଟକ ଜିଲ୍ଲାର ଗୋପାଳପୁରସ୍ଥିତ ଏଲ ଆଣ୍ଡ ଟି ସଂଗରୋଧ କେନ୍ଦ୍ରରେ ପଶ୍ଚିମବଙ୍ଗର ୧୫ରୁ ଅଧିକ ଶ୍ରମିକ ଅଛନ୍ତି । ଏମାନେ ଓଡ଼ିଶା ଦେଇ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଅଟକ ରଖାଯାଇଥିଲା । ପରେ ସେମାନଙ୍କୁ ସଂଗରୋଧରେ ରଖାଯାଇଛି ।ସଂଗରୋଧରେ ଆଜି ଏହି ଶ୍ରମିକମାନଙ୍କୁ ଜଳଖିଆରେ ଉପମା ସହ ସମ୍ବର ଦିଆଯାଇଥିଲା । କିନ୍ତୁ ସମ୍ବରରେ ଲୁଣି ପଡ଼ି ନଥିବାରୁ ଅଭିଯୋଗ କରି ସେମାନେ ଖାଦ୍ୟକୁ ଡଷ୍ଟବିନକୁ ଫିଙ୍ଗି ଦେଇଥିଲେ । ପରେ ସେମାନେ ଦାବି କରିଛନ୍ତି ଯେ, ରାତିରେ ସେମାନଙ୍କୁ ଭାତ ବଦଳରେ ରୁଟି ଦିଆଯାଉ ।ସୂଚନାଯୋଗ୍ୟ, ଦେଶରେ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲକଡାଉନ ହେବା ପରେ ସାଧାରଣ ଜୀବନ ବହୁ ପ୍ରଭାବିତ ହୋଇଛି । ସରକାର ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇଛନ୍ତି । ଏଥି ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । କିନ୍ତୁ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯିବା ପରେ ପ୍ରବାସୀ ଶ୍ରମିକମାନେ ଅନ୍ୟ ରାଜ୍ୟରୁ ଫେରି ନିଜସ୍ୱ ବୁଦ୍ଧି ବଳରେ ଫେରି ଆସୁଛନ୍ତି । ଅନେକ ପ୍ରବାସୀ ଘରକୁ ଯିବା ପାଇଁ ଶହ ଶହ କିଲୋମିଟର ରାସ୍ତା ପାଦରେ ଚାଲିବାକୁ ମଧ୍ୟ ପଛାଉ ନାହାନ୍ତି । ସେହିପରି ପଶ୍ଚିମବଙ୍ଗର ଶ୍ରମିକମାନେ ମଧ୍ୟ ଗୋପାଳପୁର ଦେଇ ଘରକୁ  ବାହୁଡ଼ୁଥିବା ବେଳେ କଟକ ଜିଲ୍ଲାର ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଅଟକାଇ ସଂଗରୋଧରେ ରଖିଛି ।ତେବେ ସଂଗରୋଧ କେନ୍ଦ୍ରରେ ଖାଦ୍ୟରେ ଲୁଣ ନ ପଡ଼ିଥିବାରୁ ସେମାନେ ଉତ୍ପାତ କରିବା ନିଶ୍ଚିତ ଭାବେ ଏକ ଦୁଃଖଦ ବିଷୟ । ଯଦିଓ ଖାଦ୍ୟରେ ଲୁଣ ପଡ଼ି  ନଥିଲା, ଏଥିରେ ଲୁଣ ମିଶାଇ ଖାଇ ହୋଇଥାନ୍ତା । ଅଯଥା ଉତ୍ପାତ ନ କରି ସଂଗରୋଧର ପରିଚାଳକଙ୍କୁ ଏହାର ସମାଧାନ କୁହାଯାଇପାରି ଥାନ୍ତା ।

Leave a comment

Your email address will not be published. Required fields are marked *