#Exclusive

ଆଉ ଫାଇନ ନୁହେଁ, ଗାଡି ସିଜ ,ଗୋଟିଏ ଦିନରେ ୮୦ ଜବତ

ଭୁବନେଶ୍ୱର : ଏଣିକି ଆଉ ଫାଇନ ନୁହେଁ, ସିଧା ଗାଡି ସିଜ । ଆବଶ୍ୟକ ପଡିଲେ ଗାଡି ଚାଳକ ଓ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯିବ । ରଙ୍ଗରୁଟ ଗାଡ଼ି ଚାଳନା ରୋକିବାକୁ କମିଶନରେଟ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଗୋଟିଏ ଦିନରେ ରଙ୍ଗରୁଟରେ ଯାଂଚ ବେଳେ ପୁଲିସ ୮୦ଟି ଗାଡିକୁ ଜବତ କରିଛି । ଜବତ ଗାଡିକୁ ପୁଲିସ ସିଜ କରି କୋର୍ଟକୁ ପଠାଇ ଦେଇଛି । ଏଭଳି ଅଭିଯାନ ଆଗକୁ ଜାରି ରହିବ ବୋଲି ପୁଲିସ କହିଛି ।
ଗୁରୁବାର ଟ୍ରାଫିକ ପୁଲିସ ପକ୍ଷରୁ ସହର ବିଭିନ୍ନ ସ୍ଥାନରେ ଗାଡିମୋଟର ଯାଂଚ କରାଯାଇଥିଲା । ବିଶେଷ କରି ରଙ୍ଗରୁଟ ଗାଡି ଚାଳନା ଉପରେ ଫୋକସ କରିଥିଲା । ଖଣ୍ଡଗିରି ଜାଗମରା, ରସୁଲଗଡ଼, ଡମଣା, ରାଜମହଲ ଓ ବାଣୀବିହାର ଭଳି କେତେକ ପ୍ରମୁଖ ସ୍ଥାନରେ ପୁଲିସ ଯାଂଚ କରିଥିଲା । ଯାଂଚ ବେଳେ ରଙ୍ଗରୁଟରେ ଆସୁଥିବା ୮୦ଟି ଗାଡି ଜବତ କରିଛି । ଜବତ ଗାଡିକୁ ପୁଲିସ ସିଜ କରିବା ସହ ମାମଲା ରୁଜୁ କରି କୋର୍ଟକୁ ପଠାଇ ଦେଇଛି । ପୁଲିସର ଏଭଳି କଡା ଆଭିମୁଖ୍ୟ ଗାଡି ଚାଳକଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇଦେଇଛି ।
ଉଲ୍ଲେଖଥାଉ କି, ନୂଆ ମୋଟରଯାନ ଆଇନ ଲାଗୁ ପରେ କମିଶନରେଟ ପୁଲିସ ପକ୍ଷରୁ ଜୋରିମାନା ଆଦାୟ ସହ ଲୋକଙ୍କୁ ସଚେତନ କରାଯାଇଥିଲା । ବିଶେଷ କରି ରଙ୍ଗରୁଟ ଗାଡି ଚାଳନା ନେଇ ପୁଲିସ ଲୋକଙ୍କୁ ସଚେତନ ଓ ଜୋରିମାନା ଆଦାୟ କରୁଥିଲେ ମଧ୍ୟ ଗାଡି ଚାଳକମାନେ ସୁଧୁରିବା ପରିବର୍ତେ ଅଧିକ ସମସ୍ୟା ସୃଷ୍ଟି କରିଥିଲେ । ଏହାକୁ ରୋକିବା ଲାଗି ପୁଲିସ ରଙ୍ଗରୁଟ ଯାଂଚକୁ ଜୋରଦାର କରିଥିଲା । ଏଥିସହିତ ସମ୍ବେଦନଶୀଳ ରାସ୍ତାରେ ସାଇନବୋର୍ଡ ଲଗାଯାଇଥିଲା । ଫଳକରେ ଏପଟେ ଯାତାୟତ କଲେ ବିପଦ ଅଛି, ସୁରକ୍ଷିତ ଯାତ୍ରା ପାଇଁ ସଠିକ୍ ରାସ୍ତାରେ ଯାଆନ୍ତୁ । ରଙ୍ଗରୁଟ୍‌ରେ ଯଦି ଯାଉଛନ୍ତି, ତାହେଲେ ଆଇନ୍ ଅନୁଯାୟୀ ଜୋରିମାନା ଆଦାୟ ହେବ । ଏହି ଫଳକ ମାରିବା ପରେ ଗାଡି ଚାଳକ ସଚେତନ ହେଲେ ନାହିଁ । ଏହାକୁ ରୋକିବା ଲାଗି ପୁଲିସ ସ୍ପାଇକ ବ୍ୟାରିଅର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛି । ରାସ୍ତାରେ ସ୍ପାଇକ୍ ବ୍ୟାରିଅର ଲଗାଇଲେ ରଙ୍ଗରୁଟରେ ଗଲେ ଗାଡିର ଚକା ଲିକ ହୋଇଯିବ । ପ୍ରଥମ ପର୍ଯ୍ୟାୟରେ ବମିଖାଲ ଓଭରବ୍ରିଜରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ହେଲେ ଏହା ପୂର୍ବରୁ ପୁଲିସ ରଙ୍ଗରୁଟ ଯାଂଚକୁ କଡାକଡି କରିଛି । ରଙ୍ଗରୁଟରେ ଯାଉଥିବା ଗାଡିକୁ ଜବତ କରିବା ସହ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଚେତାବନୀ ଦେଇଛି ।

Leave a comment

Your email address will not be published. Required fields are marked *