#Breaking News

ସଂସ୍କୃତିଙ୍କର ଓଡ଼ିଶୀ ନୃତ୍ୟରେ ଝୁମିଲେ ଆମେରିକୀୟ ଦର୍ଶକ


ସାନ୍‍ଫ୍ରାନ୍‍ସିସ୍‍କୋ, ୨୬।୮ : ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ସଂସ୍କୃତି ବେବର୍ତ୍ତାଙ୍କର ରସ ଓ ଲାସ୍ୟ ଭରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନରେ ଆମେରିକାର କଳାପ୍ରେମୀ ଜନସାଧାରଣ ମନ୍ତ୍ରମୁଗ୍ଧ ହୋଇଥିବା ଜଣାଯାଇଛି । ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ ପରିବେଷଣକୁ ଶତାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଭାରତୀୟ ତଥା ବିଦେଶୀ ଦର୍ଶକମାନେ ମନଭରି ଉପଭୋଗ କରିବା ସାଙ୍ଗକୁ ବେଶ୍‍ ଆଦୃତ କରିଥିବା ଦେଖାଯାଇଥିଲା । ପ୍ରେକ୍ଷାଳୟରେ ଖଚାଖଚ୍‍ ଭରା ଦେଖଣାହାରୀ ସୁଶ୍ରୀ ବେବର୍ତ୍ତାଙ୍କର

ଆମେରିକାରେ ଏହି ପ୍ରଥମ ଏକକ ନୃତ୍ୟ ପରିବେଷଣ ପ୍ରତି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଖୁବ୍‍ ଉତ୍କଣ୍ଠା ଓ ଆଗ୍ରହ ପ୍ରଦର୍ଶନ କରିଥିବା ପରିଲ୍ଲଖିତ କରାଯାଇଥିଲା । ନୃତ୍ୟାରମ୍ଭ ପୂର୍ବରୁ ପାରମ୍ପରିକ ପ୍ରଥା ଅନୁଯାୟୀ ସଂସ୍କୃତି ତାଙ୍କର ଗୁରୁ ଓଡ଼ିଶୀ ନୃତ୍ୟ ପଟ୍ଟୟସୀ ଜ୍ୟୋତି ରାଉତଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଶ୍ରୀମତୀ ରାଉତ ତାଙ୍କୁ ଶୁଭକାମନା ଜଣାଇବା ସାଙ୍ଗକୁ ତାଙ୍କର ପାଦରେ ଘୁଙ୍ଗୁର ବାନ୍ଧି ଦେଇଥିଲେ । ସଂସ୍କୃତି ସେ ଦିନ ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭରେ ଆବାହନୀ ନୃତ୍ୟ ମଙ୍ଗଳାଚରଣ ଭାବରେ ସରସ୍ୱତୀ ବନ୍ଦନା, ଶୁଦ୍ଧ ନୃତ୍ୟ ମୁଦ୍ରା ପଲ୍ଲବୀ, ଅଭିନୟ ସଂରଚନା ଗୀତା ସାର ଓ ନବରସ ତଥା ସବା ଶେଷରେ ଆତ୍ମା ସହିତ ପରମାତ୍ମାର ମିଳନ ପର୍ବ ମୋକ୍ଷ ପ୍ରଦର୍ଶନ କରିଥିଲେ ।
ସଂସ୍କୃତିଙ୍କର ପ୍ରତ୍ୟେକ ପ୍ରସ୍ତୁତି ଯଥେଷ୍ଟ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା ତଥା ଉପସ୍ଥିତ ଦର୍ଶକମାନଙ୍କୁ ଭଗବତ୍‍ ସତ୍ତାର ସୁରାକ ଓ ଐଶ୍ୱରୀକ ଆନନ୍ଦର ଅଫୁରନ୍ତ ଉତ୍ସା୍ୱସ ଦେବାକୁ ସକ୍ଷମ ହୋଇଥିଲା । ବିଶେଷ କରି ତାଙ୍କର ବୈଦ୍ୟୁତିକ ପଦଚାଳନା, ଜୀବନ୍ତ ତଥା ନିଖୁଣ ମୁଖାଭିନୟ ଏବଂ ଅସାଧାରଣ ଭ୍ରୁକୁଞ୍ଚନ, ଉଭୟ ସଂସ୍କୃତି ବିଶାରଦ ଓ ନୃତ୍ୟ ସମୀକ୍ଷକମାନଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଛି । ଗୀତା ସାର ଓ ନବରସ ନୃତ୍ୟ ପରିବେଷଣ ସମୟରେ ତାଙ୍କର ଦକ୍ଷତାପୂର୍ଣ୍ଣ ଓ ମନଲୋଭା ଅଭିନୟ ସମସ୍ତଙ୍କୁ ବିଭୋର ତଥା ଅଭିଭୂତ କରିବା ସହିତ ସେମାନଙ୍କୁ ଭାବାବେଗର ଦୁନିଆରେ ହଜାଇ ମଜାଇ ଦେଇଥିବା ଅନୁଭବ କରାଯାଇଥିଲା । ସେହିପରି ତାଙ୍କଦ୍ୱାରା ପ୍ରସ୍ତୁତ ମୁଦ୍ରା ପଲ୍ଲବୀର ତାଳେ ତାଳେ ଆମେରିକୀୟ ଦର୍ଶକମାନେ ଝୁମିବାରେ ଲାଗିଥିବାର ଦୃଶ୍ୟ ଏବଂ ଘନଘନ କରତାଳି ବର୍ଷଣ କରୁଥିବାର ଅନୁଭୂତି ଅତ୍ୟନ୍ତ ନିଆରା ଓ ମର୍ମସ୍ପର୍ଶୀ ଥିଲା ।


ମାତ୍ର ଚାରିବର୍ଷ ବୟସରୁ ସଂସ୍କୃତି, ଗୁରୁ ଗାୟତ୍ରୀ ଯୋଶୀଙ୍କଠାରୁ ଓଡ଼ିଶୀ ଶିକ୍ଷା ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ସେ ଗୁରୁ ଜ୍ୟୋତି ରାଉତ, ଗୁରୁ ନୀଲଞ୍ଜନା ରାୟ ଏବଂ ଗୁରୁ କେଶିନୀ ଦେଶାଇଙ୍କ ଠାରୁ ନୃତ୍ୟ ନିପୁଣତା ନେଇ ତାଲିମ ଲାଭ କରିଥିଲେ । ଜ୍ୟୋତି କଳା ମନ୍ଦିରର ଅନ୍ୟାନ୍ୟ ସଦସ୍ୟମାନଙ୍କ ସହିତ ସେ ସାନ୍‍ଫ୍ରାନ୍‍ସିସ୍‍କୋର ସମୁଦ୍ର ତଟବର୍ତ୍ତୀ ଇଲାକାରେ ବହୁବାର ନୃତ୍ୟ ପ୍ରଦର୍ଶନ କରିସାରିଛନ୍ତି । ଏହା ସାଙ୍ଗକୁ ୨୦୧୭ ମସିହାରେ ଭୁବନେଶ୍ୱରଠାରେ ସଂସ୍କୃତି, ସମ୍ମାନସ୍ପଦ ଆନ୍ତର୍ଜାତିକ ଓଡ଼ିଶୀ ମହୋତ୍ସବରେ ମଧ୍ୟ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ସେ ଏବେ ବୋଷ୍ଟନ୍‍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଡିଗ୍ରୀ ଶିକ୍ଷାର ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ଦୀର୍ଘ ୪ଘଣ୍ଟା ଧରି ଚାଲିଥିବା ‘ରଙ୍ଗ ପୂଜା’ କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ ଓ ସମ୍ପନ୍ନ କରିବାରେ ସଂସ୍କୃତିଙ୍କର ପିତା ଧୀରେନ ମୋହନ ବେବର୍ତ୍ତା, ମାତା ମୋନାଲିସା ବେବର୍ତ୍ତା, ଭାଇ ସାତ୍ତ୍ୱିକ ବେବର୍ତ୍ତା ଏବଂ ମାଉସୀ ଶ୍ରୀଜା ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ ।

Leave a comment

Your email address will not be published. Required fields are marked *