ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ କହିଲା ଆମେରିକା କମିଶନ
ୱାଶିଂଟନ: ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ କାର୍ଯ୍ୟ କରୁଥିବା ଗୋଟିଏ ଫେଡରାଲ ଆମେରିକା କମିଶନ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ ନିବେଦନ କରିଛି। କମିଶନ ଭାରତ ସରକାର ଆଣିଥିବା ନାଗରିକତା ସଂଶୋଧନ ବିଲ୍(ସିଏବି)କୁ ଜୋରଦାର ବିରୋଧ କରିଛି ଏବଂ ଏହା ଏକ ଭୟଙ୍କର ଦିଗ ଆଡ଼େ ଗତି କରିବ ବୋଲି କହିଛି। ଯଦି ଏହି ବିଲ ଲୋକସଭା ଓ ରାଜ୍ୟସଭାରେ ପାସ ହୋଇଯିବ, ତା’ହେଲେ ଆମେରିକା ସରକାର ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ କଟକଣା ଲଗାଇବା ଉଚିତ ବୋଲି ଏହି ସଂସ୍ଥା କହିଛି।
କେନ୍ଦ୍ର ସରକାର ଆଣିଥିବା ବିଲ୍ରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧାର୍ମିକ ନିର୍ଯାତନାର ଶିକାର ହେଉଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତ ସରକାର ଏଠାରେ ନାଗରିକତା ପ୍ରଦାନ କରିବେ। ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ ଭାରତରେ ରହିଥିବେ ସେମାନଙ୍କୁ ହିଁ ନାଗରିକତା ମିଳିବ।
ତେବେ ଆମେରିକା କମିଶନ ୟୁଏସସିଆଇଆରଏଫ୍ ଏହାକୁ ବିରୋଧ କରି କହିଛି ଯେ ଏଭଳି ଏକ ବିଲ ଭାରତର ଲୋକସଭାରେ ପାସ ହେବା ଚିନ୍ତାର ବିଷୟ। ଯଦି ଏହି ବିବାଦୀୟ ସିଏବି ବିଲ ସଂସଦରେ ଉଭୟ ସଦନରେ ପାସ ହୋଇଯିବ, ତା’ହେଲେ ଏହା ବଡ଼ ବିପଦ ସାଜିବ। ତେଣୁ ଆମେରିକା ସରକାର ଅମିତ ଶାହ ଓ ଅନ୍ୟ ବରିଷ୍ଠ ରାଜନେତାଙ୍କ ଉପରେ ଏନେଇ ତୁରନ୍ତ କଟକଣା ଲଗାଇବା ଉଚିତ।ଆହୁରି ପଢ଼ନ୍ତୁ
ସିଏବିରେ ଜାଣିଶୁଣି ମୁସଲିମ ଶରଣାର୍ଥୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଧର୍ମ ଆଧାରରେ ନାଗରିକତା ପ୍ରଦାନ ଠିକ୍ ନୁହେଁ। ଭାରତର ସଂସ୍କୃତି ହେଉଛି ଧର୍ମ ନିରପେକ୍ଷ। ଭାରତର ସମ୍ବିଧାନ ମଧ୍ୟ ଆଇନ ଆଗରେ ସମସ୍ତଙ୍କୁ ସମାନ ଅଧିକାର ଦେଇଛି। ତଥାପି ଏଭଳି ବିଲ ଆଣି ଭାରତ ସରକାର ପ୍ରଚଳିତ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି।
ୟୁଏସସିଆଇଆରଏଫ୍ ବର୍ତ୍ତମାନ ଭାରତ ସରକାରଙ୍କ କାର୍ଯ୍ୟକଳାପ ଦେଖି ଭୟଭୀତ। କାରଣ ଭାରତର ନାଗରିକତା ପାଇଁ ଲୋକଙ୍କୁ ଧର୍ମର ପରୀକ୍ଷା ଦେବାକୁ ପଡ଼ୁଛି। ପ୍ରଥମେ ଏନଆରସି ଏବଂ ଏବେ ସିଏବି ଲାଗୁ କରାଯାଉଛି। ଏହାଦ୍ୱାରା କୋଟିକୋଟି ଭାରତୀୟ ମୁସଲିମ ଭାରତର ନାଗରିକତା ହରାଇବେ।
ପୂର୍ବରୁ ଥିବା ୟୁପିଏ ସରକାର ଅମଳରୁ ହିଁ ଭାରତ ସରକାର ତୃତୀୟ ପକ୍ଷ କଥା ଶୁଣିବେ ନାହିଁ ବୋଲି କହି ଆସୁଛନ୍ତି। ୟୁଏସସିଆଇଆରଏଫ୍ ଏ ସମ୍ପର୍କରେ ବାରମ୍ବାର ସମସ୍ତଙ୍କୁ ଅବଗତ କରାଇଥିଲେ ହେଁ କେହି ବି ଏହାକୁ ଖାତିର କରୁନାହାନ୍ତି।
ଭାରତ ସରକାର ସବୁ ପ୍ରସଙ୍ଗକୁ ନିଜର ଆଭ୍ୟନ୍ତରୀଣ ବ୍ୟାପାର କହି ତୃତୀୟ ପକ୍ଷ ଦେଉଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଉଛନ୍ତି। ହେଲେ ଏବେ ଧର୍ମ ଆଧାରରେ ନାଗରିକତା ଠିକ୍ ନୁହେଁ।”
ମନୋରଞ୍ଜନ ମହାପାତ୍ର
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































