ଧାର୍ଯ୍ୟଲକ୍ଷ୍ୟଠୁ ଅଧିକ ସଂଗୃହୀତ ହେଲା ଧାନ
ଭୁବନେଶ୍ୱର(Bureau) ୨୦୧୯-୨୦ ଖରିଫ ଋତୁରେ ଧାନ ସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇଛି। ଉପକୂଳ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବାବେଳେ ୧୯ଟି ଜିଲ୍ଲାରେ ଆଜିସୁଦ୍ଧା ୫୯ଲକ୍ଷ ୮୦ହଜାର ୮୫୫ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି । ୨୦୧୯-୨୦ ଖରିଫ ଋତୁରେ ୫୦ଲକ୍ଷ ମେଟ୍ରିକ୍ ଟନ୍ ଓ ରବିରେ ୧୦ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।
ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୧୯-୨୦ ବର୍ଷ ନିମନ୍ତେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆଜିସୁଦ୍ଧା ୮୮,୨୯୩ଜଣ ଚାଷୀଙ୍କଠୁ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ମୋଯ ୫୯.୮୦ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଡିସେମ୍ବର ୧୧ ତାରିଖ ତୁଳନାରେ ଚଳିତବର୍ଷ ଧାନ ସଂଗ୍ରହ ପରିମାଣ ୩୯ପ୍ରତିଶତ ଅଧିକ ହୋଇଛି।
ଧାନ ସଂଗ୍ରହ ନିମନ୍ତେ ଅନଲାଇନରେ ପଞ୍ଜିକୃତ ଚାଷୀମାନଙ୍କୁ ପି-ପାସ ଜରିଆରେ ଆଗୁଆ ଟୋକେନ୍ ପ୍ରଦାନ କରାଯାଉଥିବାବେଳେ ଆଜିସୁଦ୍ଧା ୧୯ଟି ଜିଲ୍ଲାର ୨ଲକ୍ଷ ୧୫ହଜାର ୮୫୫ଜଣ ଚାଷୀଙ୍କୁ ଟୋକେନ୍ ପ୍ରଦାନ କରାଯାଇଛି। ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଏବେସୁଦ୍ଧା ଧାନସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ର ୩୭୦୮୮ଜଣ ଚାଷୀଙ୍କଠୁ ମୋଟ ୨୪.୯୮ଲକ୍ଷ କ୍ୱିଣ୍ଟାଲ ଧାନ, ବଲାଙ୍ଗିରର ୬୩୩୧ ଚାଷୀଙ୍କଠୁ ସାଢ଼େ ୪ଲକ୍ଷ କ୍ୱିଣ୍ଟାଲ, କଳାହାଣ୍ଡିର ୧୧୬୧୪ଜଣ ଚାଷୀଙ୍କଠୁ ୮.୦୬ଲକ୍ଷ କ୍ୱିଣ୍ଟାଲ, ନୂଆପଡ଼ାର ୪୪୦୬ଜଣ ଚାଷୀଙ୍କଠୁ ୨.୦୬ଲକ୍ଷ କ୍ୱିଣ୍ଟାଲ, ସମ୍ବଲପୁରର ୭୪୩୩ଜଣ ଚାଷୀ ୬.୩୮ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି। ଧାନ ବିକ୍ରିକୁ ସୁବ୍ୟବସ୍ଥିତ ଓ ଚାଷୀମାନଙ୍କ ସମସ୍ୟା ବୁଝିବା ପାଇଁ ଯୋଗାଣ ବିଭାଗରେ ଥିବା କଲ୍ ସେଣ୍ଟରରୁ ୪୯୯୬ଜଣ ଚାଷୀଙ୍କୁ ଫୋନ୍ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଅବଶ୍ୟ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ସରକାର ସମସ୍ତ ଚାଷୀଙ୍କଠୁ ଧାନ କିଣିବେ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି।
ସମ୍ପାଦନା – ମନୋରଞ୍ଜନ ମହାପାତ୍ର
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































