ସ୍କ୍ରାପ୍ ଦରରେ ବିକ୍ରି ହେବ ନା ଓଡ଼ିଶା ଫେରିବ ବିଜୁଙ୍କ ଡାକୋଟା?
ଭୁବନେଶ୍ୱର/ ପୁରୀ (ବ୍ୟୁରୋ):ଓଡ଼ିଶା ଫେରିବ ନା ଖଣ୍ଡ ଖଣ୍ଡ ହୋଇ ସ୍କ୍ରାପ୍ ଦରରେ ବିକ୍ରି ହେବ ବିଜୁଙ୍କ ଡାକୋଟା । ଏହି ବିମାନକୁ ହଟାଇବାକୁ କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଯୋଜନା ପରେ ବଢିଛି ଏଭଳି ଆଶା ଓ ଆଶଙ୍କା । ତେଣେ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଦ୍ୟମ କେବଳ କାଗଜପତ୍ରରେ ଚାଲିଥିବାକୁ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଶ୍ରୀଜଗନ୍ନାଥ ସେନା ଡାକୋଟା ଫେରାଇ ଆଣିବାକୁ ଅନୁମତି ପାଇଥିବା ଦାବି କରିବା ଘଟଣା ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
କୋଲକାତା ଏୟାରପୋର୍ଟରେ ଅପନ୍ତୋରା ଅବସ୍ଥାରେ ପଡିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସେହି ଚର୍ଚ୍ଚିତ ଡାକୋଟା ବିମାନ । ଯାହା ଦିନେ ସାରା ବିଶ୍ୱରେ ସୃଷ୍ଟି କରିଥିଲା ଚହଳ। ୧୯୪୭ ମସିହାରେ ଇଣ୍ଡୋନେସିଆରେ ଅଶାନ୍ତିର ନିଆଁ ଜଳୁଥିବାବେଳେ ଏଇ ବିମାନରେ ବିଜୁବାବୁ, ସେଠାକାର ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ଅତି ସାହସର ସହ ଭାରତ ଆଣିଥିଲେ। ତା’ସହ ଦୀର୍ଘବର୍ଷ ଧରି ବିଜୁ ବାବୁଙ୍କ ସହ ଅଙ୍ଗାଙ୍ଗିଭାବେ ଜଡ଼ିତ ଥିବା ଏ ସନ୍ତକଟିକୁ ଓଡ଼ିଶା ଆଣିବାକୁ ଚାଲିଥିବା ଉଦ୍ୟମ କେବଳ କାଗଜପତ୍ରରେ ସୀମିତ ରହିଛି । ପୂର୍ବରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଡାକୋଟାକୁ ନେବାକୁ ରାଜ୍ୟ ସରକାରଙ୍କୁ ଜଣାଇବା ପରେ କେତେକ ଅଧିକାରୀ କୋଲକାତା ଯାଇଥିଲେ । ହେଲେ ତା’ ପରେ ସବୁ ଠପ୍ । ଏଭଳି ସ୍ଥିତିରେ ଗତକାଲି ପୁରୀରେ ଶ୍ରୀ ଜଗନ୍ନାଥ ସେନାର ସାମ୍ବାଦିକ ସମ୍ମିଳନୀ କିନ୍ତୁ ଏ ନେଇ ସୃଷ୍ଟି କରିଛି ନୂଆ ମୋଡ଼ । ସେନା ଦାବି କରିଛି, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଜଗନ୍ନାଥ ସେନାକୁ ଡାକୋଟା ଦେବାକୁ ସହମତି ପ୍ରକାଶ କରିଛି । ଯେଉଁଥିପାଇଁ ୨ ମାସ ତଳେ ସେନା ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଏୟାରପୋର୍ଟ ଅଥରିଟିଙ୍କୁ ଅନୁରୋଧ ପତ୍ର ଲେଖା ଯାଇଥିଲା।
କୋଲକାତା ଏୟାରପୋର୍ଟର ଆଇସୋଲେସନ୍ ବେ ରେ ପଡିଥିବା ବିଜୁବାବୁଙ୍କ ଡାକୋଟା ସହ ଆଉ କିଛି ଅବ୍ୟବହୃତ ବିମାନ, ଉଡ଼ାଜାହାଜ ଚଳାଚଳରେ ଅସୁବିଧା ସୃଷ୍ଟି କରୁଥିବାରୁ ଏସବୁକୁ ହଟାଇବାକୁ ଚାଲିଛି ଯୋଜନା। ଏମିତିକି ଏହାକୁ ସ୍କ୍ରାପ୍ କରିବା ଲାଗି ମେଟାଲ୍ ସ୍କ୍ରାପ୍ ଟ୍ରେଡିଂ କର୍ପୋରେସନ ଅଫ୍ ଇଣ୍ଡିଆକୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି ଡାକୋଟାକୁ ଓଡ଼ିଶା ଆଣିବାକୁ ଉଦ୍ୟମ କରିଥିବା ଇନ୍ଟାକ୍ ସଦସ୍ୟ ଅନୀଲ୍ ଧୀର । ବିଜୁ ବାବୁଙ୍କ ଏ ବଡ଼ ସନ୍ତକକୁ ମାଗଣାରେ ବି ଓଡ଼ିଶା ସରକାର ଆଣିନପାରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ କହିଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































