ଏଣିକି ମୋବାଇଲ ଆପରେ‘ଖଜଣା’: ଉନ୍ମୋଚିତ ହେଲା ‘ପାଉତି’ ଆପ୍
ଭୁବନେଶ୍ବର: ଏଣିକି ମୋବାଇଲ ଆପ୍ ମାଧ୍ୟମରେ ଭୂ-ରାଜସ୍ବ(ଖଜଣା) ପୈଠ କରିହେବ। ଏଥିପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ‘ପାଉତି’ ଆପର ଉନ୍ମୋଚନ କରିଛନ୍ତି। ଜନସାଧାରଣଙ୍କୁ ଆଉ ଆରଆଇ ଅଫିସକୁ ଯାଇ ଖଜଣା ଦେଇ ପାଉତି କାଟିବାକୁ ପଡିବନାହିଁ। ସେମାନେ ଘରେ ବସି ଏହି ମୋବାଇଲ ଆପ୍ ମାଧ୍ୟମରେ ଖଜଣା ପୈଠ କରିପାରିବେ।ଏଥି ସହିତ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟରେ ଜନସାଧାରଣଙ୍କ ପାଇଁ ଇ-ସାର୍ଟିଫିକେଟ ୱେବସାଇଟର ମଧ୍ୟ ଶୁଭାରମ୍ଭ କରାଯାଇଛି। ଜାତିଗତ,ବାସିନ୍ଦା ଏବଂ ଆୟ ସାର୍ଟିଫିକେଟ ପାଇଁ ଯେ କୌଣସି ସ୍ଥାନରୁ ଅନଲାଇନରେ (edistrict.odisha.gov.in) ମାଧ୍ୟମରେ ଆବେଦନ କରିପାରିବେ। ଆବେଦନକାରୀ ଯେ କୌଣସି ତହସିଲ ପାଇଁ ଯେ କୌଣସି ଜନସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିପାରିବେ। ସମସ୍ତ ପ୍ରମାଣ ପତ୍ର ପୋର୍ଟାଲ ଓ ନିଜ ମେଲ ବକ୍ସରୁ ଡାଉନଲୋଡର ସୁବିଧା ରହିଛି। ଆବେଦନକାରୀଙ୍କ ଘୋଷଣାନାମ ଓ ଅପଲୋଡ କରାଯାଇଥିବା କାଗଜାତରେ ଦିଆଯାଇଥିବା ତଥ୍ୟ ଆଧାରରେ ମିଳିବ ବାସିନ୍ଦା ଓ ଆୟ ପ୍ରମାଣ ପତ୍ର। ଜାତିଗତ ପ୍ରମାଣପତ୍ର ଏବଂ ରୋଜଗାର ପ୍ରମାଣ ପତ୍ର ପାଇଁ ନାଗରିକମାନଙ୍କୁ ତହସିଲ ଅଫିସ ଚକ୍କର କାଟିବାକୁ ପଡିବ ନାହିଁ। ଅନଲାଇନରେ ବିନା ଦେୟରେ ଏହି ପ୍ରମାଣପତ୍ର ମିଳିପାରବ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































