ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି : ପହଞ୍ଚିଲେ ୧୭୫୭ରେ, ୧୫ ଧଳା କୁମ୍ଭୀର, ଆଜି ଖୋଲିବ ଭିତରକନିକା
ରାଜନଗର (୦୫/୦୧/୨୦୨୦): ବଉଳାକୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୭୪୨ଟି ବଉଳା କୁମ୍ଭୀର ଥିବା ବେଳେ ଏ ବର୍ଷ ଏହି ସଂଖ୍ୟା ୧୭୫୭କୁ ବୃଦ୍ଧିପାଇଛି। ସେଥିମଧ୍ୟରୁ ୧୫ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ଭିତରକନିକାରେ କନିକା ରେଂଜର ମହିଁଷାମୁଣ୍ତା ନିକଟରେ ୨୧ ଫୁଟିଆ କୁମ୍ଭୀରକୁ ଠାବ କରାଯାଇଛି। ଏଥିସହ ଶୁଆଯୋର ଓ ଅଜଗରପାଟିଆ, ଥାନପତି ନିକଟରେ ୨୦ ଫୁଟରୁ ଅଧିକ ଲମ୍ବର ୪ଟି କୁମ୍ଭୀର ଠାବ କରାଯାଇଛି ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।
ଗତମାସ ୩୧ରୁ ଚଳିତ ମାସ ୪ ତାରିଖ ଯାଏ ୫ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା। କୁମ୍ଭୀର ବିଶାରଦ ଡ.ସୁଧାକର କରଙ୍କ ନେତୃତ୍ବରେ ୨୩ଟି ଟିମ୍ କୁମ୍ଭୀର ଗଣନା କରିଥିଲେ। ଗଣନା ବେଳେ ୬୨୦ଟି କୁମ୍ଭୀର ଶାବକ ଅର୍ଥାତ୍ ୨ ଫୁଟରୁ କମ ଲମ୍ବର କୁମ୍ଭୀର, ୩୨୫ଟି ବର୍ଷିକିଆ ଶାବକ ଅର୍ଥାତ୍ ୨ରୁ ୩ ଫୁଟିଆ, ୨୮୮ଟି ଦୁଇ ବର୍ଷିଆ ଶାବକ ଅର୍ଥାତ୍ ୩ରୁ ୬ ଫୁଟିଆ, ୧୮୫ଟି ୪ରୁ ୫ ବର୍ଷର ଅର୍ଥାତ୍ ୬ ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା। ଏଥିସହ ୮ ଫୁଟରୁ ଅଧିକ ଲମ୍ବର ୩୩୯ଟି ବଡ଼ କୁମ୍ଭୀର ଗଣନାବେଳେ ଠାବ କରାଯାଇଛି। ଭିତରକନିକା ଭିତରେ ଥିବା ନଦୀ, ନାଳଗୁଡିକରେ ଚଳିତବର୍ଷ ୧୬୪୫ କୁମ୍ଭୀର ଥିବା ବେଳେ ଭିତରକନିକା ବାହାରେ ଥିବା ନଦୀ, ନାଳଗୁଡିକରେ ୧୧୨ଟି କୁମ୍ଭୀର ଥିବା ଡିଏଫ୍ଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି। ଗଣନା ସମୟରେ କନିକା ରେଂଜ ଅଂଚଳରେ ୧୩୮୫ଟି, ରାଜନଗର ରେଂଜ ଅଂଚଳରେ ୨୬୦ଟି, ମହାକାଳପଡା ରେଂଜ ଅଂଚଳରେ ୭୫ଟି, ଗହୀରମଥା ରେଂଜ ଅଂଚଳରେ ୩୭ଟି ବଉଳା କୁମ୍ଭୀର ଥିବା ଜଣାପଡିଛି। ଅନ୍ୟପକ୍ଷରେ ଖୋଳା, ଗୁପ୍ତି, ବାଉଁଶଗଡ ନଈ, ଅଙ୍ଗାରୀ କ୍ରିକ୍, ଶୁଆଯୋର୍, ମହିଁଷାମଡା, ଏଫ୍.ଆର୍.ଏଚ୍ ଜେଠୀ ଆଦି ସ୍ଥାନରେ ୨୧ଟି ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ଏହି କୁମ୍ଭୀରମାନଙ୍କ ବୟସ ୧୦୦ରୁ ୧୨୦ ବର୍ଷ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏ ବର୍ଷ ଧଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପ୍ରାଣୀ ବିଜ୍ଞାନୀଙ୍କୁ ଉତ୍ସାହିତ କରିଛି। ଭିତରକନିକାରେ ଗୋରୀ ଭଳି ଶଙ୍ଖ ମଲମଲ ଧଳା ରଙ୍ଗର ୧୫ଟି କୁମ୍ଭୀର ଥିବା ଗଣନାରୁ ଜଣାପଡ଼ିଛି। ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ,ନାଳରେ କୁମ୍ଭୀର ଗଣନା ସମୟରେ ଧଳା ରଂଗର ଶଙ୍ଖୁଆ କୁମ୍ଭୀରକୁ ଦେଖିବାକୁ ମିଳିଛି। ଭିତରକନିକାର କାଳିଭଞ୍ଜଡିଆ, ଶୁଆଯୋର, ମହିଁଷାମଡା, ଥାନପତି ଓ ଭିତରକନିକା ମୁଖ୍ୟ ନଦୀରେ ଧଳା କୁମ୍ଭୀରଙ୍କୁ ଠାବ କରାଯାଇଛି। ସେଥିମଧ୍ୟରୁ କାଳିଭଞ୍ଜଡିଆ ଓ ଥାନପତିରେ ୧୮ଫୁଟ ଲମ୍ବର ଅଣ୍ତିରା ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା ବୋଲି କୁମ୍ଭୀର ବିଷାରଦ ଡ. କର ସୂଚନା ଦେଇଛନ୍ତି।
ଆଜି ଖୋଲିବ ଭିତରକନିକା
ରାଜନଗର : ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲିଠାରୁ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଗତମାସ ୨୬ ତାରିଖଠାରୁ ଚଳିତମାସ ୪ ତାରିଖ ଯାଏ ୧୦ଦିନ ଧରି ଭିତରକନିକା ପାଇଁ ବନ୍ଦ ରହିଥିଲା। ଏହି ସମୟରେ ଭିତରକନିକା ମଧ୍ୟରେ ପ୍ରବାହିତ ନଦୀ, ନାଳଗୁଡିକରେ ଥିବା ବଉଳା କୁମ୍ଭୀରମାନଙ୍କ ଗଣନା କରାଯାଇଥିଲା।
ସମ୍ପାଦନା – ମନୋରଞ୍ଜନ ମହାପାତ୍ର
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































