ଅପରାଜିତାଙ୍କ ଦୁଇ ସଂଗଠନକୁ ନେଇ ଜୋରଦାର ଚର୍ଚ୍ଚା ; ଶାସକ ଦଳରେ ଆଲୋଡନ

ଭୁବନେଶ୍ୱର : ନୂଅ ବର୍ଷ ୨୦୨୦ର ଆଗମନ ସହ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ନିଜର ପତିଆରା ବୃଦ୍ଧି କରି ଶାସକ ବିଜେଡି ସମେତ ନିଜ ଦଳର କର୍ମକର୍ତ୍ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି। ମହିଳା ସଶକ୍ତିକରଣ ପାଇଁ ‘ଅଜିତା’ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଏବେ ଯୁବକମାନଙ୍କୁ ନେଇ ଆଉ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହିଳା ଓ ଯୁବକଙ୍କୁ ନେଇ ସଂଗଠନିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ନିଜ ରାଜନୈତିକ ସ୍ଥିତିକୁ ଅଧିକ ସୁଦୃଢ କରିବାରେ ଲାଗିଛନ୍ତି। କେନ୍ଦ୍ରୀୟ ନେତୃତ୍ୱକୁ ବିଶ୍ୱାସକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନ ବୁଲିବା ପରେ ସେ ‘ଅଜିତା’ ମାଧ୍ୟମରେ ମହିଳାମାନଙ୍କୁ ସଂଗଠିତ କରି ସେମାନଙ୍କର ବିକାଶ ପାଇଁ କାର୍ଯ୍ୟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବେଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଜ୍ଞାତସାରରେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା କୁହାଯାଉଛି। ଆଇଏଏସ ଚାକିରୀ ଛାଡି ସକ୍ରିୟ ରାଜନୀତିରେ ତାଙ୍କର ସାଂଗଠନିକ କୌଶଳ ଦଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ରାଜନୀତି କ୍ଷେତ୍ରରେ ତାଙ୍କର ସକ୍ରିୟତାକୁ ନେଇ ମଧ୍ୟ ଶାସକ ବିଜେଡିରେ ଆଲୋଡନ ସୃଷ୍ଟି ହୋଇଛି। ଯଦିଓ ‘ଅଜିତା’ କାର୍ଯ୍ୟକ୍ରମକୁ ସେ ନିଜ ସଂସଦୀୟ କ୍ଷେତ୍ରରୁ ଆରମ୍ଭ କରିଛନ୍ତି, ତେବେ ପଶ୍ଚିମ ଓଡ଼ିଶାରେ ମଧ୍ୟ ଏହି ମହିଳା ସଂଗଠନ ନିଜର ସ୍ଥିତି ସୁଦୃଢ କରିପାରିଛି। ‘ଅଜିତା’ ସହିତ ଜଡିତ ମହିଳାମାନେ କହିଛନ୍ତି, ଏହା ଏକ ଅଣ ରାଜନୈତିକ ସଂଗଠନ। ତେବେ ନିଜେ ସାଂସଦ ଅପରାଜିତା ଷଢଙ୍ଗୀ କହିଛନ୍ତି, ଏହା ମହିଳାମାନଙ୍କର ସାମାଜିକ ଓ ଆର୍ଥିକ ସ୍ୱାଧୀନତା ଦିଗରେ କାର୍ଯ୍ୟ କରିବ। ‘ଅଜିତା’ର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଭଳି ଅଣ ରାଜନୈତିକ ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ । ସାଂସଦ ଅପରାଜିତା ଷଢଙ୍ଗୀ ନିଜେ ସଂଗଠନର କୌଣସି ପଦପଦବୀ ଗ୍ରହଣ କରି ନ ଥିଲେ ମଧ୍ୟ ନେପଥ୍ୟ ରହି ସେ ସମସ୍ତ କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ଅନ୍ୟପକ୍ଷରେ ‘ଅଜିତା’ର ଅଧ୍ୟକ୍ଷ ମୌସୁମୀ ମହାପାତ୍ର କହିଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀଙ୍କ ମାର୍ଗ ଦର୍ଶନରେ ଏହି ସଂଗଠନ କାର୍ଯ୍ୟ କରୁଛି। ତେବେ ଅନେକ ଲୋକ ଏହାକୁ ବିଜେଡିର ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର ଏକ ସମାନ୍ତରାଳ ସଂଗଠନ ବୋଲି କହୁଛନ୍ତି। ସୂଚନାଯୋଗ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳା ପରୋକ୍ଷରେ ବିଜେଡି ସହିତ ଯୋଡି ହୋଇଛନ୍ତି। ଏସଏଚଜି ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମିଳା ବିଷୋୟୀଙ୍କୁ ଆସ୍କା ଲୋକସଭା ଆସନରୁ ସଂସଦକୁ ପଠାଇଛନ୍ତି। ତେବେ ‘ଅଜିତା’ ସଂଗଠନର କୋର ଗ୍ରୁପରେ ୫୬ ଜଣ ଆଜୀବନ ଏବଂ ୮୯୩ ଜଣ ସାଧାରଣ ସଦସ୍ୟ ଅଛନ୍ତି। ରବିବାର ସଂଗଠନ ୧୦୦ଦିନିଆ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିଛି। ଏହା ୫ ଜାନୁଆରୀରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ପ୍ରାରମ୍ଭରେ ଏହା ଖୋର୍ଦ୍ଧା ଜିଲ୍ଲାର ୮ଟି ବ୍ଲକ ଓ ୨ଟି ପୌରସଂସ୍ଥାରେ କାର୍ଯ୍ୟ କରିବ। ଖୋର୍ଦ୍ଧାର ୧୫୮ ଗ୍ରାମ ପଞ୍ଚାୟତରେ ମହିଳାମାନଙ୍କୁ ନେଇ ୩୫୮ଟି ଗୋଷ୍ଠୀ ଗଠନ କରିବ। ଭୁବନେଶ୍ୱର ବସ୍ତି ଅଞ୍ଚଳରେ ମଧ୍ୟ ଏହି ସଂଗଠନ କାର୍ଯ୍ୟ କରିବ। ‘ଅଜିତା’ ଅଧିନରେ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଭିନ୍ନ ସ୍ଥାନରେ ୫୬ଟି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଆୟୋଜିତ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ, ଗାୟିକା ଶୈଳଭାମା ମହାପାତ୍ର, ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି, ସଲିଲା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































