ଓଏଲ୍ଏମ୍ ଆଞ୍ଚଳିକ ମଞ୍ଚ ଗଠନରେ ଅନିୟମିତତା ଅଭିଯୋଗ,ବ୍ଲକ ଘେରାଉ କଲେ ମହିଳା
ପିପିଲି :ଓଡିଶା ଜୀବିକା ମିଶନ ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆଞ୍ଚଳିକ ମଞ୍ଚ ଗଠନରେ ବ୍ୟାପକ ଅନିୟମିତତା ସହ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ, କର୍ମୀମାନଙ୍କୁ ନେଇ ମଞ୍ଚ ଗଠନ କରାଯାଇଥିବା ଅଭିଯୋଗ କରି ଶତାଧିକ ମହିଳା ସୋମବାର ପିପିଲି ବ୍ଲକ୍କୁ ଦୀର୍ଘ ୩ ଘଣ୍ଟାକାଳ ଘେରାଉ କରି ରଖିବା ସହ ସେଠାରେ ଧାରଣା ଦେଇଥିଲେ।
ପ୍ରାପ୍ତ ସୂଚନା ଅନୁଯାଇ, ପିପିଲିବ୍ଲକ ଲକ୍ଷ୍ମୀନାରାୟଣପୁର ଗ୍ରାମପଞ୍ଚାୟତର ଶତାଧିକ ମହିଳା ସୋମବାର ଅପରାହ୍ନରେ ପିପିଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ବ୍ଲକକୁ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାଇ, ଉକ୍ତ ପଞ୍ଚାୟତର ବିନାୟକପୁର ଗ୍ରାମରେ ୬ଟି ଗୃପ୍କୁ ବାଦ ଦିଆଯାଇ ଜୋର ଜବରଦସ୍ତ ମଞ୍ଚ ଗଠନ କରାଯାଇଛି। ନହଳାପଡା ଗ୍ରାମରେ ମଞ୍ଚ ଗଠନରେ ଅନିୟମିତତା କରାଯାଉଥିବା ସମ୍ପର୍କରେ ଜାଣିପାରି ସେଠାରେ ଉପସ୍ଥିତ ଅନେକ ଗୋଷ୍ଠୀ ଦସ୍ତଖତ କରିନଥିବା ବେଳେ ନିୟମ ଉଲଂଘନ କରାଯାଇ ଅନ୍ୟ ପଞ୍ଚାୟତର ଏସ୍ଏଚ୍ଜିର ସଭ୍ୟାମାନଙ୍କୁ ସାମିଲ କରାଯାଇ ମଞ୍ଚ ଗଠନ କରାଯାଇଥିଲା। ଏଥିସହ ବିଲିପଡା ଗ୍ରାମର ୯ନଂ ୱାର୍ଡ, ଲକ୍ଷ୍ମୀନାରାୟଣପୁର ଗ୍ରାମର ୨ନଂ ୱାର୍ଡରେ ଯୋଜନାର ଗାଇଡ୍ଲାଇନକୁ ଉଲଂଘନ କରି ମଞ୍ଚ ଗଠନ କରାଯାଇଥିବାର ଗୁରୁତର ଅଭିଯୋଗ ହୋଇଛି। ଏ ସଂପର୍କରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କେହି କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ମହିଳାମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ। ମଞ୍ଚ ଗଠନ ପୂର୍ବରୁ ବାକିରହିଥିବା ମହିଳାମାନଙ୍କୁ ନେଇ ଏସ୍ଏଚ୍ଜି ଗଠନ, ଗାଇଡଲାଇନ ଅନୁଯାଇ ମଞ୍ଚ ପାଇଁ ସଭ୍ୟା ଚୟନ ପ୍ରକ୍ରିୟାକୁ ନିଶ୍ଚିତ କରାଇବା, ଉପରୋକ୍ତ ସ୍ଥାନରେ ଗଠିତ ହୋଇଥିବା ମଞ୍ଚ ଗୁଡିକୁ ଅସିଦ୍ଧ ଘୋଷଣା କରିବା ସହ ପୁନର୍ବାର ଗଣତାନ୍ତ୍ରିକ ପଦ୍ଧତିରେ ମଞ୍ଚ ଗଠନ କରାଯିବା ଓ ଆଞ୍ଚଳିକ ମଞ୍ଚ ଗଠନରେ କୌଣସି ଫେଡେରେସନର ସଭାନେତ୍ରୀ ଏବଂ ସଂପାଦିକାଙ୍କୁ ସାମିଲ କରାନଯିବା ଆଦି ଦାବୀ ସମ୍ବଳିତ ଏକ ସ୍ମାରକପତ୍ରକୁ ଆନ୍ଦୋଳନକାରୀ ମହିଳାମାନେ ପିପିଲି ବିଡିଓଙ୍କୁ ଦେଇଥିଲେ। ମଞ୍ଚ ଗଠନରେ ସ୍ୱଚ୍ଛତା ଅବଲମ୍ବନ କରାନଗଲେ ସେମାନେ ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ସହ ଆନ୍ଦୋଳନକୁ ଅଧିକ ଜୋରଦାର କରିବେ ବୋଲି ଚେତାବନୀ ଦେଇଥିଲେ। ଖବର ପାଇ ଲକ୍ଷ୍ମୀନାରାୟଣପୁର ସରପଞ୍ଚ ଶୁଭାଶିଷ ରଥ, ବିଜେପିର ପୁରୀ ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ, ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, ପିପିଲି ଏନଏସିର ପୂର୍ବତନ ଉପନଗରପାଳ ସୁକାନ୍ତ ଭଟ୍ଟ ପ୍ରମୁଖ ପିପିଲି ବ୍ଲକରେ ପହଞ୍ଚି ଆନ୍ଦୋଳନକାରୀ ମହିଳା ପ୍ରତିନିଧିଙ୍କ ଉପସ୍ଥିତିରେ ବିଡିଓ ଗୌରବମୟ ପ୍ରଧାନଙ୍କ ସହ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ କହିବା ପରେ ଆନ୍ଦୋଳନ ହଟିଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































