ଧାନ ଢାଳିଲେ.. ଗାଡି ଆଗରେ ଶୋଇଲେ, ତଥାପି ଶୁଣୁନି ପ୍ରଶାସନ
କଲମପୁର : ଧାନ ବିକ୍ରି ପାଇଁ ଟୋକନରୁ ବଞ୍ଚିତ ହେଉଛନ୍ତି ଚାଷୀ। ଯାହା ଫଳରେ ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡିରହୁଛି। ବାରମ୍ଭାର ପ୍ରଶାସନକୁ ଅବଗତ କରାଇବା ପରେ ମଧ୍ୟ ଏଥି ପ୍ରତି ଧ୍ୟାନ ନଦେବା ଚାଷୀମାନଙ୍କୁ ବ୍ୟଥିତ କରିଛି। ଆଗକୁ ବର୍ଷାର ସମ୍ଭାବନା ଥିବା ସମୟରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଧାନ ଢାଳି ଆନ୍ଦୋଳନ କରିଛନ୍ତି ଚାଷୀ। ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲା କଲମପୁର ଅଞ୍ଚଳରେ ।
ସୂଚନାଅନୁସାରେ କଲମପୁର ସମବାୟ ସମିତି ଅଧିନସ୍ଥ କଲମପୁର ମଣ୍ଡିରେ ଚାଷୀ ପ୍ରତି ବର୍ଷ ଧାନ ବିକ୍ରି କରି ଆସୁଥିଲେ । ଚଳିତ ବର୍ଷ ମଧ୍ୟ ଚାଷୀ ନିଜ ନିଜ ଧାନ ବିକ୍ରି କରିବା ପାଇଁ ସମସ୍ତ କାଗଜ ପତ୍ର ଦେଇ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ । କିନ୍ତୁ ପ୍ରାୟ ୬୨ ଜଣ ଚାଷୀଙ୍କ ତୃଟି ଥିବା ଦର୍ଶାଇ ପୁନଃ ତୃଟିମୁକ୍ତ କରି ପଠାଇବା ପାଇଁ ସମବାୟ ସମିତିକୁ ଫେରି ଆସିଲା । ଚାଷୀ ତୃଟିକୁ ସୁଧାରି ସମବାୟ ସମିତି ରେ ଦାଖଲ କରିଥିଲେ । ସମବାୟ ସମିତି ମଧ୍ୟ ଏହାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟକୁ ପଠାଇ ଦେଇ ଥିଲେ । ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟ ତରଫରୁ କାଗଜାତ ମାଧ୍ୟମରେ ପ୍ରଦତ୍ତ ତଥ୍ୟର ଯାଞ୍ଚ ପାଇଁ କଲମପୁର ତହସିଲଦାରଙ୍କ କାର୍ଯ୍ୟାଳୟକୁ ପଠାଯାଇ ଥିଲା । ତହସିଲଦାରଙ୍କ କାର୍ଯ୍ୟାଳୟ ତରଫରୁ ସଠିକ ସମୟରେ ପଠାଇବା ରେ ବିଳମ୍ବ କରିବା କାରଣ ରୁ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାରି ଫଳରେ ଧାନ ବିକ୍ରି କରି ନପାରି ଅସହାୟ ହେଉଛନ୍ତି । ଏଥିପାଇଁ ଅସନ୍ତୁଷ୍ଟ ଚାଷୀ ଗତ ୧୫ ଦିନ ତଳେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ ଦାସ ଆନ୍ଦୋଳନ ସ୍ଥାନ ରେ ପହଞ୍ଚି ୫ ଦିନ ମଧ୍ୟରେ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଅଦ୍ୟାବଧି ଏହାର କୌଣସି ସମାଧାନ ହେଉନଥିବାରୁ ଚାଷୀ ଧାନ ବିକ୍ରି କରି ନାହାଁନ୍ତି ।
ଏଣୁ ଅସନ୍ତୁଷ୍ଟ ଚାଷୀ ତହସିଲଦାରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାନ ରଖି ଆନ୍ଦୋଳନ କରୁଥିବା ବେଳେ ଧର୍ମଗଡ ଉପଜିଲ୍ଲାପାଳ ପଦ୍ମନାଭ ବେହେରା ବାର୍ଷିକ ରିପୋର୍ଟ ପାଇଁ ଆସିଥିଲେ ।ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ଚାଷୀ ଧାନ ଉଠାଣ ପାଇଁ ଦାବୀ କରିଥିଲେ। ଚାଷୀମାନେ ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ଧାନ ଉଠାଇବେ ନାହିଁ ବୋଲି କହିଥିଲେ। ଏହାପରୋ ଉପଜିଲ୍ଲାପାଳ ପଦ୍ମନାଭ ବେହେରା ନିଜ ଗାଡିରେ ତହସିଲଦାରଙ୍କ କାର୍ଯ୍ୟାଳୟରୁ ବାହାରକୁ ଚାଲି ଯାଉଥିବା ବେଳେ ଅସନ୍ତୁଷ୍ଟ ଚାଷୀ ରାଧେଶ୍ୟାମ ଶର୍ମା ଉପଜିଲ୍ଲାପାଳଙ୍କ ଗାଡି ତଳେ ଶୋଇ ପଡିଥିଲେ । ଅନ୍ୟ ଚାଷୀ ମାନେ ମଧ୍ୟ ଗାଢି ସମ୍ମୁଖରେ ବସି ପଡିଥିଲେ । ଚାଷୀଙ୍କ ରୋଷରୁ ବର୍ତ୍ତିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ତହସିଲଦାର ଦିବାକର ବାଗଙ୍କ ସହ ଚାଲି ଚାଲି ପୁଲିସ ଫାଣ୍ଡି କୁ ଯାଇଥିଲେ । ବର୍ତ୍ତମାନ ଆନ୍ଦୋଳନ ଜାରି ରହିଛି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































