ସାଇବର ଠକେଇରେ ଏକ୍ସପର୍ଟ ଅଷ୍ଟମ ଶ୍ରେଣୀ ଛାତ୍ର
ସମ୍ବଲପୁର: ସମ୍ବଲପୁର ଜିଲା ଏସପି ଡା. କନୱର ବିଶାଳ ସିଂହଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଲୋକ ମାନଙ୍କୁ ଅଭିନବ ଉପାୟରେ ଠକେଇ କରୁଥିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୁଲିସ ଜଣେ ନାବାଳକ କୁ ଅଟକ ରଖିଛି। ପୁଲିସ ତା ନିକଟରୁ ଗୋଟିଏ ମୋବାଇଲ, ଦୁଇଟି ସିମ ନଂ ୬୩୭୨୬୭୭୬୮୬ ଓ ୭୮୫୫୯୮୩୩୯୪ ସମେତ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ଏକ ଲାପଟପ ଜବତ କରିଛି। ଏ ସଂକ୍ରାନ୍ତରେ ଶୁକ୍ରବାର ଟାଉନ ଥାନାରେ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଅତିରିକ୍ତ ଏସପି ଅମରେଶ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ଟାଉନ ଥାନା ଅର୍ନ୍ତଗତ ଜଣେ ୧୭ ବର୍ଷିୟ ନାବାଳକ ବିଭିନ୍ନ ରାଜନୈତିକ ବ୍ୟକ୍ତି, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସ୍ୱନାମଧନ୍ୟ ବ୍ୟବସାୟୀଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କ ସହିତ ମେସେଞ୍ଜର ଜରିଆରେ ଚାଟ କରିଥାନ୍ତି। ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ଟଙ୍କା ଓ ମୂଲ୍ୟବାନ ଉପହାର ଦେବା ପାଇଁ କହିଥାନ୍ତି। ନକଲି ଆକାଉଣ୍ଟରେ ଅସଲି ବ୍ୟକ୍ତିଙ୍କର ଫଟୋ ଓ ଲେଖା ରହୁଥିବାରୁ ଲୋକେ ସହଜରେ ବିଶ୍ୱାସ କରିଥାନ୍ତି। ସେ ଏଭଳି କାରନାମା ପୂର୍ବରୁ କରି ବହୁ ବ୍ୟକ୍ତି ଙ୍କୁ ଠକିବା ସହିତ ପୁଲିସ ଦ୍ୱାରା ଧରା ପଡିଥିଲେ। କିନ୍ତୁ ନାବାଳକ ଥିବାରୁ ସେ ବାହାରକୁ ଆସିବା ପରେ ପୁଣି ସେହି କାର୍ୟ୍ୟରେ ଲାଗିଥିଲେ ଏବଂ ଏସପି ଡ. କନୱର ବିଶାଳ ସିଂହଙ୍କ ନାମରେ ଏକ ନକଲି ଆକାଉଣ୍ଟ କରି ବିଭିନ୍ନ ଠକେଇ କାରନାମା ଆରମ୍ଭ କରିଥିଲେ। ଲୋକଙ୍କର ବିଶ୍ୱାସ ଜିଣିବା ପାଇଁ ନାବାଳକ ଏସପିଙ୍କ ଫଟୋ ସହିତ ସରକାରୀ କାର୍ୟ୍ୟାଳୟରେ ଲାଗିଥିବା ଲେଣ୍ଡ ଲାଇନ ଫୋନ ନଂ ୦୬୬୩ – ୨୪୧୦୯୧୦ ଓ ୨୪୧୨୩୩୦ କୁ ଫେସବୁକ ଆକାଉଣ୍ଟରେ ଅପଲୋଡ କରିଥିଲେ। ଏଣୁ ବହୁ ବ୍ୟକ୍ତି ସହଜରେ ବିଶ୍ୱାସ କରିବା ସହିତ ସେ ପଠାଇଥିବା ବନ୍ଧୁତା ଅନୁରୋଧକୁ ଗ୍ରହଣ କରୁଥିଲେ।
ତେବେ ପୁଲିସ ଏହି ବିଷୟରେ ଜାଣିବା ପରେ ଟାଉନ ଥାନର ଏସଆଇ ରାଜକୁମାର ବିଶ୍ୱାଳ ଙ୍କର ଲିଖିତ ଅଭିଯୋଗ କ୍ରମେ ଏକ ମାମଲା ଗତ ୪ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ଟାଉନ ଥାନା କେଶ ନଂ ୭/୨୦୨୦, ଦଫା ୪୧୯,୪୨୦ ଆଇପିସି/ ୬୬(ସି)/୬୬(ଡି) ଆଇଟି ଆକ୍ଟ ଅନୁଯାୟୀ ତଦନ୍ତ କରାଯାଇଥିଲା। ତଦନ୍ତରୁ ନାବାଳକର ସଂପୃକ୍ତି ଜଣାପଡିବା ପରେ ତାକୁ ଧରାଯାଇ ଅଟକ ରଖାଯାଇଛି। ପୁଲିସ ଜବତ କରିଥିବା ମୂଲ୍ୟବାନ ଲାପଟପଟି ଲକ୍ଷ୍ମୀ ଏନ୍ଟରପ୍ରାଇଜର ମାଲିକ ଚନ୍ଦନ ସାହାଙ୍କୁ ଠକେଇ କରି ସେ ଆଣିଥିବା ପୁଲିସ କହିଛି। ଅନ୍ୟ ପଟରେ ଏହି ବ୍ୟକ୍ତିଙ୍କ ନାମରେ ପୂର୍ବରୁ ୫ଟି ମାମଲା ରହିଛି। ସମ୍ବଲପୁର ଜିଲାପାଳ ଶୁଭମ ସାକ୍ସସେନାଙ୍କ ନାମରେ ମଧ୍ୟ ନକଲି ଆକାଉଣ୍ଟ ଖୋଲି ଗତ ୨୮ ଅକ୍ଟୋବର ୨୦୧୯ ରେ ନାବାଳକ ଜଣକ ଧରା ହୋଇଥିଲେ। ଏହା ସହିତ ୨୦୧୮ ମସିହାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜୟନାରାୟଣ ମିଶ୍ର, ୨୦୧୯ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ବିଶିଷ୍ଟ ଯୁବ ବ୍ୟବସାୟୀ ସିଦ୍ଧାର୍ଥ ସାହାଙ୍କ ନାମରେ ମଧ୍ୟ ଠକେଇ କରିଥିବାର ମାମଲା ରହିଛି। ତେଣୁ ଟାଉନ ଥାନାରେ ୪୪୯, ୧୨୮, ୧୯ ଓ ୨୪୬ କେଶରେ ମାମଲା ରହିଛି। ଅଟକ ନାବାଳକ ଜଣକ ମାତ୍ର ଅଷ୍ଟମ ଶ୍ରେଣୀ ପାଠ ପଢ଼ିଥିବା ବେଳେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଏଭଳି ଠକେଇ କରୁଛନ୍ତି ଯେ ସାଇବର ଏକ୍ସପାର୍ଟ ମାନେ ମଧ୍ୟ ଆର୍ଶ୍ଚଯ୍ୟ ଚକିତ ରହିଯାଉଛନ୍ତି ବୋଲି ଅତିରିକ୍ତ ଏସପି ଅମରେଶ ପଣ୍ଡା କହିଛନ୍ତି।
ବାରମ୍ବାର ନାବାଳକ ଙ୍କର ଏଭଳି ମାମଲା ସହିତ ସଂପୃକ୍ତ ବିଷୟରେ ଏସପି ଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଏଭଳି ଅପରାଧିକ କାଣ୍ଡ ସେ ପୂର୍ବରୁ ମଧ୍ୟ କରିସାରିଛି। ଏଣୁ ଆଗାମୀ ଦିନରେ ପୁଲିସ କୋର୍ଟକୁ ଅନୁରୋଧ କରିବ ଯେ ନାବାଳକ ଜଣକ ବାରମ୍ବାର ଅପରାଧିକ ଗତିବିଧିରେ ସଂପୃକ୍ତ ରହୁଥିବାରୁ ତାଙ୍କୁ ନାବାଳକ ଭାବରେ ଗ୍ରହଣ କରା ନ ଯାଇ ସାବାଳକ ଭାବରେ ଗ୍ରହଣ କରାଯାଉ। ତେବେ କେହି କାହାର କଥା ଅଥବା ପ୍ରରୋଚନାରେ ପଡି ପ୍ରଲୋଭିତ ନ ହେବା ପାଇଁ ଏସପି ବିଶାଳ ସିଂହ କହିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































