ସେବା ସମବାୟ ସମିତି କାର୍ଯ୍ୟାଳୟରୁ ସମିତି ସମ୍ପାଦକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
କୁକୁଡ଼ାଖଣ୍ଡି: ବ୍ରହ୍ମପୁର ସଦର ଥାନା ଲୋଚାପଡ଼ା ସେବା ସମବାୟ ସମିତି କାର୍ଯ୍ୟାଳୟ ଭିତରୁ ଆଜି ଅପରାହ୍ନରେ ଏହାର ସମିତି ସମ୍ପାଦକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜଗନ୍ନାଥ ପାତ୍ର (୩୫)।ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ଉପକଣ୍ଠରେ ଥିବା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡ଼ା ସେବା ସମବାୟ ସମିତିକୁ ଆଜି ଏହାର ସମ୍ପାଦକ ଜଗନ୍ନାଥ ପାତ୍ର ଓ ତାଙ୍କର ସହଯୋଗୀ ସମ୍ପାଦକ ଅନ୍ୟ ଦିନ ଭଳି ଆଜି ମଧ୍ୟ ଯାଇଥିଲେ। ଅପରାହ୍ନ ୨ଟାରେ ଜଗନ୍ନାଥ ପାତ୍ର ନିଜର ସହଯୋଗୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଯିବାକୁ କହି ନିଜେ ଏକାକୀ କାର୍ଯ୍ୟାଳୟରେ କାମ କରୁଥିଲେ। ଫଳରେ ସହଯୋଗୀ କର୍ମଚାରୀ ମଧ୍ୟାହ୍ନ ଭୋଜନ ଖାଇବାକୁ ଚାଲି ଯାଇଥିଲେ। ଜଗନ୍ନାଥ ପାତ୍ରଙ୍କ ସହଯୋଗୀ କର୍ମଚାରୀ କାର୍ଯ୍ୟାଳୟରୁ ଯିବା ପରେ ନିଆଁ ଲାଗିଥିଲା। ତେବେ ସହଯୋଗୀ କର୍ମଚାରୀ ଖାଇସାରି ଫେରିବା ବେଳକୁ କାର୍ଯ୍ୟାଳୟରେ ନିଆଁ ଜଳୁଥିବା ପ୍ରଥମେ ଦେଖିଥିଲେ। ଏହା ପରେ ସେ ଦମକଳ ବାହିନୀ ଓ ପୁଲିସକୁ ସୂଚନା ଦେଇଥିଲେ।ତେବେ ଘଟଣାସ୍ଥଳକୁ ଦମକଳ ବାହିନୀ ପହଞ୍ଚିବା ବେଳକୁ ଜଗନ୍ନାଥ ପାତ୍ରଙ୍କର ମୃତ୍ୟୁ ହୋଇ ସାରିଥିଲା। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଜଗନ୍ନାଥ ପାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଶରୀର ଜବତ କରିଛି। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ସମବାୟ ସମିତି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ସେବା ସମବାୟ ସମିତି କାର୍ଯ୍ୟାଳୟ ଭସ୍ମୀଭୂତ ହୋଇଯାଇଛି। କାର୍ଯ୍ୟାଳୟ ସଂପୂର୍ଣ୍ଣ ରୂପେ ଜଳିଯାଇଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































