ବଲାଙ୍ଗୀର ପୁଲିସର ମିଶନ କ୍ଲିନ୍ : ପାଞ୍ଚହଜାରରୁ ଉର୍ଦ୍ଧ କଫସିରଫ ବୋତଲ ଜବତ, ୫ ଗିରଫ
ବଲାଙ୍ଗୀର : ବଲାଙ୍ଗୀରରେ ପୁଣି ଧରାପଡିଲା ବିପୁଳ ପରିମାଣର କଫସିରଫ। ଗୋଟିଏ ପଟେ କଫସିରଫ ମାଫିଆ ସାନ ନେଗୀ ଓ ତାର ସହଯୋଗୀ ମାନେ ପୁଇଁନ୍ତଲା ପୁଲିସର ରିମାଣ୍ଡରେ ରହିଛନ୍ତି। ଅନ୍ୟପଟେ ସଦର ପୁଲିସ ଶୁକ୍ରବାର ପୁଣି ପାଞ୍ଚ ହଜାରରୁ ଉର୍ଦ୍ଧ କଫସିରଫ ଜବତ କରିବା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଦୁଇଟି ଗାଡି ଓ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣା ବଲାଙ୍ଗୀରରେ ଚାଲିଥିବା ବେଆଇନ କଫସିରଫ ଚାଲାଣରେ ଏବେବି ରୋକ ଲାଗିନଥିବା ସ୍ପଷ୍ଟ କରିଛି। କଫସିରଫ ଜବତ ଓ ଚାଲାଣକାରୀକୁ ସଦର ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବଲାଙ୍ଗୀର ଏସପି ଏମ. ସନ୍ଦୀପ ସମ୍ପତ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବଲାଙ୍ଗୀରରେ କଫସିରଫ ଚାଲାଣର ବେଆଇନ ବ୍ୟବସାୟ ଚେର ଓପାଡିବା ପାଇଁ ପୁଲିସ ପଦକ୍ଷେପ ଆରମ୍ଭ କରିଥିଲା। ଏହିକ୍ରମରେ କଫସିରଫ ମାଫିଆ ସାନ ନେଗୀ ଓ ତାର କିଛି ଅତି ନିକଟତମ ସହଯୋଗୀ ମାନେ ପୁଲିସ ହାତରେ ଧରାପଡି ଜେଲ ଯିବା ପରେ ବଲାଙ୍ଗୀରରେ ଏହି କାରବାର ନିୟନ୍ତ୍ରଣାଧୀନ ହୋଇଥିବା ବଲାଙ୍ଗୀର ଏସପି ଦୃଢୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ବଲାଙ୍ଗୀର ଜିଲା ପୁଲିସ କୁ ଖୋଲ ବ୍ୟାଲେଞ୍ଜ ଦେଇଛନ୍ତି କଫସିରଫ ବ୍ୟବସାୟୀ। ବର୍ତ୍ତମାନ ସମୟରେ ବି ଏହି କାରବାର ପରିଚାଳିତ ହେଉଥିବା ବେଳେ ପୁଲିସ ହାତରେ ପୁଣି କଫସିରଫ ଜବତ ହୋଇଥିବା ସୂଚନା ମିଲିଛି। ଗତ ୧୪ ତାରିଖରେ ସାନ ନେଗୀକୁ ପୁଇଁନ୍ତଲା ପୁଲିସ ରିମାଣ୍ଡରେ ନେଇ ପଚାରଉଚୁରା କରୁଥିବା ସମୟରେ ସଦର ପୁଲିସ ହାତରେ କଫସିରଫ ଭର୍ତ୍ତି ଗାଡି ଧରାପଡିବା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।
Odia 






































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































