ଜେଲରେ ବିଧବା ହେଲେ ମହିଳା, ଦଶପଲ୍ଲା ଉପ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ
ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଉପ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ସେହି ଉପ କାରାଗାରରେ ଥିବା ମୃତକଙ୍କ ସ୍ତ୍ରୀ ବିଧବା ହୋଇଛନ୍ତି।
ମୃତକଙ୍କ ନାଁ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କର ବୟସ ୪୫ ବର୍ଷ ଏବଂ ତାଙ୍କ ଘର ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛା ଗାଁରେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କୃଷ୍ଣଚନ୍ଦ୍ର ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଉପ କାରାଗାର କର୍ତ୍ତୃପକ୍ଷ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ରାତିରେ ସୁସ୍ଥ ହେବା ପରେ ତାଙ୍କୁ ଉପ କାରାଗାରକୁ ଅଣାଯାଇଥିଲା।ହେଲେ ପୁଣି ଭୋର ସମୟରେ ଅସୁସ୍ଥ ହେବାରୁ କରି କୃଷ୍ଣଚନ୍ଦ୍ରଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରୁଥିବା ବେଳେ କୃଷ୍ଣଚନ୍ଦ୍ର ଟଳି ପଡ଼ିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦଶପଲ୍ଲା ପୁଲିସ ଓ ତହସିଲଦାର ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାଯାଇଛି।ସୂଚନାଯୋଗ୍ୟ, ପ୍ରାୟ ଚାରି ମାସ ହେବ କୃଷ୍ଣଚନ୍ଦ୍ର ପାତ୍ର ଓ ତାଙ୍କ ସ୍ତ୍ରୀ ପ୍ରଭାସିନୀ ଜେଲରେ ଅଛନ୍ତି। ସେ ଦୁହେଁ କୃଷ୍ଣଚନ୍ଦ୍ରଙ୍କ ମାଆ କୁମୁଦିନୀ ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ କୁମୁଦିନୀ ଥାନାରେ ଏତଲା ଦେବା ପରେ ପୁଲିସ୍ କୃଷ୍ଣ ଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ପ୍ରଭାସିନୀଙ୍କୁ ଗିରଫ କରିଥିଲା। ଏହାପରେ ଉଭୟ ପତି ପତ୍ନୀ ଦଶପଲ୍ଲାରେ ଥିବା ଉପ କାରାଗାରରେ ରହୁଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































