ଚକମା ଦେଇ ପଳାଉ ଥିଲା, ଶେଷରେ କାବୁ ହେଲା ।
ଅନୁଗୁଳ(ବ୍ୟୁରୋ): ଗତ କିଛିଦିନ ଧରି ଅନୁଗୋଳ ବନଖଣ୍ଡ ତାଳଚେର ବନାଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାକୁ ଟ୍ରଙ୍କୁଲାଇଜ କରିବାରେ ସଫଳ ହୋଇଥିବା ବନବିଭାଗ ଆଜି ତାକୁ ଏକ ଟ୍ରକରେ ନେଇ କପିଳାସ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ହାତୀକୁ କାବୁ କରିବା ନିମନ୍ତେ ୧୭ ତାରିଖରେ ପହଞ୍ଚିଥିଲେ ଟ୍ରଙ୍କୁଲାଇଜ ଟିମ୍ । କିଛିଦିନ ଧରି ହାତୀକୁ କାବୁ କରିବା ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ଚକମା ଦେଉଥିଲା ଦନ୍ତା ।ଗତ ୨୦ତାରିଖରେ ଅନନ୍ତ ପମ୍ପ ହାଉସ ନିକଟ ଜଙ୍ଗଲିଆ ସ୍ଥାନରେ ହାତୀ ଥିବା ବେଳେ ଟ୍ରଙ୍କୁଲାଇଜ ଟିମର ଏକ୍ସପର୍ଟ ଡାର୍ଟ ଫାୟାର କରିଥିଲେ । ଡାର୍ଟ ହାତୀ ଦେହରେ ବାଜିଥିବାବେଳେ ପରେ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଦନ୍ତାହାତୀ ଗତ କିଛିଦିନ ଧରି ତାଳଚେର ବନାଞ୍ଚଳର ଘଣ୍ଟପଡ଼ା,ଡେରା ଗାଁ ଓ ଆଖପାଖ ଅଞ୍ଚଳରେ ଉପଦ୍ରବ କରୁଥିବା ବେଳେ ହାତୀକୁ ଘଉଡାଇବାରେ ବନ ବିଭାଗ ଏକ ପ୍ରକାର ବିଫଳ ହୋଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ।ପରେ ହାତୀକୁ ଟ୍ରଙ୍କୁଲାଇଜ ପାଇଁ ଉଦ୍ୟମ ଆରମ୍ଭ କରିଥିଲା ବନବିଭାଗ । କାବୁ କରିବାରେ ସଫଳ ହେବା ପରେ ତାକୁ ଢେଙ୍କାନାଳ ଜିଲ୍ଲା କପିଳାସ ଚିଡ଼ିଆଖାନାକୁ ନିଆଯିବାର ଥିଲା। ମାତ୍ର ପରିବହନ ନିମନ୍ତେ ଉଦ୍ଦିଷ୍ଟ ଗାଡ଼ିରେ ତ୍ରୁଟି ବା ସମସ୍ୟା ହେତୁ ସମ୍ଭବପର ହୋଇ ନଥିଲା । ପରେ ହାତୀକୁ ଶିକୁଳି ବନ୍ଧା ଅବସ୍ଥାରେ ଅନନ୍ତ ପମ୍ପ ହାଉସ ନିକଟରେ ରଖାଯାଇଥିବାବେଳେ ତାହା ଉପରେ ବନବିଭାଗର ବରିଷ୍ଠ ଅଧିକାରୀ ନଜର ରଖିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































