ଭୁବନେଶ୍ୱରରୁ ବାରାଣସୀକୁ ଉଡିଲା ବିମାନ
ଆରସିଏସ-ଉଡ଼ାନ ଯୋଜନାରେ ୨୫୦ତମ ବିମାନ ସେବା ସାମିଲ
ଭୁବନେଶ୍ୱର: ଭାରତରେ ଆଞ୍ଚଳିକ ବିମାନ ଯୋଗାଯୋଗ କ୍ଷେତ୍ରରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ ହୋଇଛି। ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ବିମାନ ସେବା କମ୍ପାନୀ ଆଲାଏନ୍ସ ଏୟାର ଭାରତ ସରକାରଙ୍କ ଆରସିଏସ-ଉଡ଼ାନ ଯୋଜନା ଅନ୍ତର୍ଗତ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ କରିଛି। ଆଜି ଦିନ ୧୧ଟା ୫୦ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଫ୍ଲାଇଟ 9I 747 ବିମାନରେ ୪୦ ଜଣ ଯାତ୍ରୀ ଦିନ ୧ଟା ୪୦ରେ ବାରାଣସୀ ଯାତ୍ରା କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଏହା ହେଉଛି ୨୫୦ତମ ବିମାନ ସେବା। ଉଡ଼ାନ ଯୋଜନାର ପ୍ରଥମ ବିମାନ ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ଏପ୍ରିଲ, ୨୦୧୭ରେ ଆରମ୍ଭ କରିଥିଲେ।
ଗତ ୨୭ ଜାନୁଆରୀ, ୨୦୨୦ରେ ଆଲାଏନ୍ସ ଏୟାର ପକ୍ଷରୁ ଆରସିଏସ ଉଡ଼ାନ ଯୋଜନା ଅନ୍ତର୍ଗତ କୋଲକାତା-ଝାରସୁଗୁଡ଼ା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରାଯାଇଥିଲା। ଉଡ଼ାନ-୩ ନିଲାମୀ ପ୍ରକ୍ରିୟାରେ ଭୁବନେଶ୍ୱର-ବାରାଣସୀ ମାର୍ଗରେ ବିମାନ ସେବା ଯୋଗାଇ ଦେବା ଲାଗି ଆଲାଏନ୍ସ ଏୟାରକୁ ଦାୟିତ୍ୱ ଦିଆଯାଇଥିଲା। ଉଡ଼ାନ ଯୋଜନାରେ ଆଲାଏନ୍ସ ଏୟାର ପକ୍ଷରୁ ୫୮ଟି ମାର୍ଗରେ ବିମାନ ସେବା ଯୋଗାଇ ଦିଆଯାଉଛି।
ଗଙ୍ଗା ନଦୀ କୂଳରେ ବହୁ ସଂଖ୍ୟକ ମନ୍ଦିର ଓ ପବିତ୍ର ଘାଟ ଥିବା କାରଣରୁ ସାରା ଦେଶରୁ ଲୋକମାନେ ବାରାଣସୀ ଆସିଥାନ୍ତି। ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା କାରଣରୁ ଏହି ମାର୍ଗରେ ବିମାନ ସେବା ପର୍ଯ୍ୟଟନ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବ। କାରଣ ପର୍ଯ୍ୟଟନ ହେଉଛି ବାରାଣସୀର ଦ୍ୱିତୀୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗ। ବାରାଣସୀ ବିଭିନ୍ନ କାରଣରୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ହୋଇଥିବା ବେଳେ ବାରାଣସୀରେ ଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରହିଛି।
ଆଲାଏନ୍ସ ଏୟାର ଭୁବନେଶ୍ୱର-ବାରାଣସୀ ମାର୍ଗରେ ସିଧାସଳଖ ଦୈନିକ ବିମାନ ସେବା ଜାରି ରଖିବ। ଏଥିପାଇଁ ବିମାନ ସେବା କମ୍ପାନୀ ୭୦ ଆସନ ବିଶିଷ୍ଟ ଏଟିଆର ୭୨ ୬୦୦ ବିମାନ ନିୟୋଜିତ କରିଛି। ସିଧାସଳଖ ଉଡ଼ାଣ ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ତଥା ବ୍ୟବସାୟୀଙ୍କୁ ଲାଭାନ୍ୱିତ କରିବ। ଏହି ବିମାନ ଭୁବନେଶ୍ୱରରୁ ଅପରାହ୍ଣ ୧୨ଟା ୧୫ରେ ଛାଡ଼ି ବାରାଣସୀରେ ୨ଟା ୫ମିନିଟରେ ପହଁଚିବ। ସେହିପରି ବାରଣାସୀରୁ ଅପରାହ୍ଣ ୨ଟା ୩୦ରେ ଛାଡ଼ି ଭୁବନେଶ୍ୱରରେ ୪ଟା ୨୦ ମିନିଟ ସମୟରେ ପହଁଚିବ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































