‘ଭାସମାନ ଡାକଘର’
ଭୂ-ସ୍ବର୍ଗ ଭାବେ ଜଣାଯାଉଥିବା ଶ୍ରୀନଗରରେ ପର୍ଯ୍ୟଟକଙ୍କ ସଂଖ୍ୟା ସେଭଳି ବୃଦ୍ଧି ନ ପାଇବାର ମୁଖ୍ୟ କାରଣ ହେଲା ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଭୟ। ଏକ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁସାରେ, ଆମେରିକା ଓ ଇଉରୋପରୁ ଆସୁଥିବା ପର୍ଯ୍ୟଟକମାନେ ଶ୍ରୀନଗର ଯିବାରେ ଆଗ୍ରହ ପ୍ରକାଶ କରନ୍ତି, କିନ୍ତୁ ସେଠାକାର ପାରିପାର୍ଶ୍ବିକ ପରିସ୍ଥିତି ଠିକ୍ ରହୁନଥିବାରୁ ପର୍ଯ୍ୟଟକ ଆଗେଇପାରନ୍ତିନାହିଁ। କେତେଜଣ ପର୍ଯ୍ୟଟକ ଅବଶ୍ୟ ଚ୍ୟାଲେଞ୍ଜ୍ ଭାବେ ଜୀବନକୁ ଗ୍ରହଣ କରି ସେଠାକୁ ଯାତ୍ରା କରନ୍ତି। ଶ୍ରୀନଗର ଯାଇଥିବା ପର୍ଯ୍ୟଟକଙ୍କ ମତରେ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଖିରେ ନ ଦେଖିଲେ ଅନ୍ୟ ଠାରୁ ଶୁଣିବା ନିରର୍ଥକ ଅଟେ। ଏଠାକାର ପ୍ରମୁଖ ଆକର୍ଷଣ ମଧ୍ୟରୁ ଅନ୍ୟତମ ହେଉଛି ‘ଭାସମାନ ଡାକଘର’। ଡାଲ୍ ହ୍ରଦର ଏଇ ଭାସମାନ ଡାକଘର ୨୦୧୧ରେ ତତ୍କାଳୀନ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଲୋକଙ୍କୁ ଡାକ ସୁବିଧା ଯୋଗାଉଥିବା ଭାସମାନ ଡାକଘରରେ ନିୟମିତ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ। ଏହା ସହ ଡାକଘରରେ ମିଳୁଥିବା ଅନ୍ୟ ସୁବିଧାମାନ ହେଲା, ଇଣ୍ଟରନେଟ୍ ସୁବିଧା ଓ ଅନ୍ତର୍ଜାତୀୟ ଫୋନ୍ କଲ୍। ଭାସମାନ ଡାକଘରର ରକ୍ଷଣାବେକ୍ଷଣରେ ସ୍ଥାନୀୟ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେଉଥିବାର ପ୍ରକାଶ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































