ଟ୍ରକ୍ ଧକ୍କାରେ ୬ ବର୍ଷର ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ପୁଲିସ୍ ଗାଡ଼ିକୁ ଅଟକ ରଖିଲେ ସ୍ଥାନୀୟ ଲୋକେ
ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିକଟସ୍ଥ ସୁବଳୟା ଛକରେ ଟ୍ରକ୍ ଧକ୍କାରେ ଜଣେ ୬ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟଣା ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ଶୁଭମ୍ ବିଶ୍ବାଳ ନାମକ ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ର ସକାଳ ପ୍ରାୟ ସାଢ଼େ ୬ଟା ବେଳେ ସୁବଳୟା ଛକରେ ଜଳଖିଆ ଦୋକାନରୁ ଉପମା ଆଣିବାକୁ ଯାଇଥିଲେ। ସେ ଉପମା ନେଇ ରାସ୍ତା ପାର କରୁଥିବା ବେଳେ ଏକ ଟ୍ରକ୍ (ଡବ୍ଲୁ ବି ୫୭ ଡି ୩୫୨୬) ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ଶୁଭମ୍ ବିଶ୍ବାଳଙ୍କର ମୃତ୍ୟୁ ଘଟିଥିଲା। ଧକ୍କା ଦେଇ ଟ୍ରକ୍ ଚାଳକ ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରିଥିଲେ। ସ୍ଥାନୀୟ ଲୋକେ ଚାଳକକୁ ନିସ୍ତୁକ ମାଡ଼ ମାରି ପୁଲିସ୍ ଜିମା ଦେଇଥିଲେ। ଉକ୍ତ ଚାଳକର ନାମ ସାର୍ଦିକ୍ ଶେଖ୍। ତା’ର ଘର ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ବୋଲି ଜଣାଯାଇଛି। ପୁଲିସ୍ ଉକ୍ତ ଟ୍ରକକୁ ଜବତ କରିଛି। ଉକ୍ତ ଟ୍ରକ ଧାନ ନେଇ କଟକରୁ ବରଗଡ଼କୁ ଯାଉଥିଲା ବୋଲି ଜଣାଯାଇଛି। ସ୍ଥାନୀୟ ଲୋକେ ପୁଲିସ୍ ଗାଡ଼ି ଏବଂ ଉକ୍ତ ଟ୍ରକ୍ ଚାଳକକୁ ଅଟକ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































