ସିଆରପିଏଫ୍ ଯବାନଙ୍କ କମ୍ବିଂ ଅପରେସନ୍ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ: ବିପୁଳ ପରିମାଣରେ ବିସ୍ଫୋରକ ଜବତ
ରାୟଗଡ଼ା: କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବଳ (ସିଆରପିଏଫ) ଯବାନଙ୍କ କମ୍ବିଂ ଅପରେସନ ବେଳେ ଆଜି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାୟନ କରିଥିବା ଜଣାପଡ଼ିଛି। ମାଓବାଦୀମାନେ ଫେରାର ହୋଇଯିବା ପରେ ସିଆରପିଏଫ ଯବାନଙ୍କୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ମିଳିଛି।
ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଠାରେ ଥିବା ୮ମ ବାଟାଲିୟନର ଦ୍ୱିତୀୟ କମାଣ୍ଡ ରାମ ଅବତାର ବାଲଟିଆ, ଫ୍ରାନ୍ସିସ ତିର୍କି ଓ ବିଜୟାନନ୍ଦ ସ୍ୱରୂପଙ୍କ ନେତୃତ୍ୱରେ ସିଆରପିଏଫ ଯବାନମାନେ ଚନ୍ଦ୍ରପୁର ଜଙ୍ଗଲରେ କମ୍ବିଂ ଅପରସେନ କରିଥିଲେ। ଏହି ସମୟରେ ମାଓବାଦୀମାନେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଛତ୍ରଭଙ୍ଗ ଦେଇ ଫେରାର ହୋଇ ଯାଇଥିଲେ।
ତେବେ ସିଆରପିଏଫର ଯବାନମାନେ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ଏଥିରେ ୯ଟି ଦେଶୀ ବନ୍ଧୁକ, ୧୫ଟି ଡିଟୋନେଟର, ୧୧ଟି ଜିଲୋଟିନ ଓ ୮ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି ।
ସୂଚନାଯୋଗ୍ୟ ନିକଟରେ ମାଓବାଦୀମାନେ ନିୟମଗିରି ଠାରେ ତୁମୁଳ କାଣ୍ଡ କରିଥିଲେ। ସେହି ଦିନଠାରୁ ସିଆରପିଏଫ ଯବାନମାନେ କମ୍ବିଂ ଅପରେସନ ପାଇଁ ଅଧିକ ସକ୍ରିୟ ଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































